Unknown

 

 

 

 

 

 

 

 

 

 

ସାଳନ୍ଦୀ

ଚିନ୍ତାମଣି ମହାନ୍ତି

 

ଉପହାର

 

ଉତ୍କଳ-ପ୍ରଥିତଯଶା, ସତ୍‌ସାହିତ୍ୟାନୁରାଗୀ, ସ୍ୱଦେଶହିତୈଷିପ୍ରବର ମାନନୀୟ

ରାୟ ଶ୍ରୀଯୁକ୍ତ ସୁଦାମଚନ୍ଦ୍ର ନାୟକ ବାହାଦୂର ମହୋଦୟ

କରକମଳେଷୁ

ପରମ ଭକ୍ତିଭାଜନ ଶ୍ରୀମନ୍ମହୋଦୟ,

ଆପଣ ଭଦ୍ରଖର ଉଦୀୟମାନ ଚନ୍ଦ୍ର ଏବଂ ଉତ୍କଳମାତାଙ୍କର ଯୋଗ୍ୟତମ କୃତୀ ସନ୍ତାନ । ଦେଶ, ଜାତି ଏବଂ ସମାଜର ହିତକର ପ୍ରତ୍ୟେକ ଶୁଭାନୁଷ୍ଠାନରେ ଆପଣଙ୍କର ଆନ୍ତରିକ ସହାନୁଭୂତି ଦର୍ଶନ କରି ଆପଣଙ୍କ ପ୍ରତି ମୋର ସ୍ୱାଭାବିକ ଭକ୍ତି ଏବଂ ପ୍ରୀତି ଶତଗୁଣିତ ହୋଇଅଛି-। ସେଥିର ନିଦର୍ଶନସ୍ୱରୂପ ମୋର ଏହି “ସାଳନ୍ଦି” ପୁସ୍ତିକାଖଣ୍ଡି ଆପଣଙ୍କ ସୁପବିତ୍ର କରକମଳରେ ମୁଁ ଉପହାର ଅର୍ପଣ କଲି । ଏହା ଆପଣଙ୍କର ଉପଯୁକ୍ତ ନ ହେଲେହେଁ ଅନ୍ତଃକରଣର ଅନ୍ତସ୍ତଳନିହିତ ଭକ୍ତିପ୍ରୀତ୍ୟନୁପ୍ରାଣିତ ହେତୁ ଏବଂ ସାଳନ୍ଦି ଆପଣଙ୍କ ପୁଣ୍ୟ ଜନ୍ମଭୂମିର ନଦୀ ହେତୁ ଆପଣଙ୍କ ନିକଟରେ ଗୃହୀତ ହେବ ।

 

ଆପଣଙ୍କର

ସ୍ନେହସୌଜନ୍ୟମୁଗ୍‌ଧ

ଶ୍ରୀ ଚିନ୍ତାମଣି ମହାନ୍ତି

 

ଭଦ୍ରଖ

 

ନଟବାଣୀ

 

ସଦା ମକରନ୍ଦୀ,

ମତ୍ସ୍ୟମୟୀ ସ୍ୱଚ୍ଛ-

ସଲିଳା ସାଳନ୍ଦି !

ଗିରିଚକ୍ରବର୍ତ୍ତୀ

ମେଘାସନ-କନ୍ୟା,

ତରଙ୍ଗିଣୀ-ରାଣୀ

ରୂପେ ଗୁଣେ ଧନ୍ୟା ।

ସଲିଳ ତୋହର

ଯଥା କାଚଧାର,

ସାଧୁ ମନ ପ୍ରାୟେ

ନିର୍ମଳ ଉଦାର ।

ପିଇଲେ ସେ ସୁଧା-

ସମ ମଧୁପୟ,

ଦୂର ହୁଏ ଦେହୁଁ

ସକଳ ଆମୟ ।

ସ୍ନାନେ ତହିଁ କ୍ଷୟ

ହୁଏ ପାପରାଶି,

ଅଖଣ୍ଡ ସୁକୃତି

ଉଦେ ହୁଏ ଆସି ।

କଲେ ତୋହ ପୂତ

ସଲିଳେ ତର୍ପଣ,

ଲଭନ୍ତି ସନ୍ତୋଷ

ଦେବ-ପିତୃଗଣ ।

କାଳିନ୍ଦୀ ସମାନ

ତୁହି ଲୋ ସାଳନ୍ଦି,

ସ୍ୱଚ୍ଛ ଅନ୍ତଃସ୍ରୋତା

ଯଥା ଫଲ୍ଗୁ ନଦୀ ।

ସ୍ପର୍ଶମଣିଜିଣା

ନିଶ୍ଚେଁ ତୋର ପାଣି,

ମୃତ୍ତିକାକୁ ସେହୁ

କରେ ବାରବାନୀ ।

ନୀରନ୍ଧ୍ର ବେଷ୍ଟନେ

ସୁବିଶାଳ ଶାଳେ

ବେଢ଼ି ରହିଛନ୍ତି

ତୋ ଅନ୍ତୁଡ଼ିଶାଳେ ।

ମହା ଅନ୍ଧାରିତ

ତୋ ଜନ୍ମ କନ୍ଦରା,

ସୃଷ୍ଟିକାଳୁଁ ତହିଁ

ପଡ଼ି ନାହିଁ ଖରା ।

ସ୍ୱଭାବେ ସେ ସ୍ଥାନ

ପ୍ରାଣୀର ଅଗମ୍ୟ,

ପଶିବାକୁ ତହିଁ

ଭୀତ ହେବ ଯମ ।

ଜାତ ମାତ୍ରେ ତହିଁ

ମୁଦିଣ ନୟନ

ଆଚରିଲୁ ବାଳ-

ସୁଲଭ ଶୟନ ।

ହୁଅନ୍ତେ ଏ ଭାବେ

କେତେ କାଳ ଗତ,

ନବୀନ ଯୌବନ

ହେଲା ଉପଗତ ।

ଭାଙ୍ଗିଗଲା ତୋର

ନିଦ୍ରାର ଆଳସ୍ୟ

ପତି ସଙ୍ଗମରେ

ବଳିଲା ମାନସ ।

ଶୁଣିଲୁ କି କାହା

ଉଚ୍ଚାଟ ଆହାନ,

ଜନ୍ମିଲା ତୋହର

ହୃଦେ ଦିବ୍ୟ ଜ୍ଞାନ ।

ତେଜି ତହୁଁ ତୁହି

ପ୍ରିୟ ପିତୃଶାଳେ

ବାହାରିଲୁ ଖରେ

ପ୍ରେମ ଅସମ୍ଭାଳେ ।

ଶୁଭ ଆଗମନ

ନିରେଖି ତୋହର

ଉଲ୍ଲାସେ ବନ୍ଦିଲେ

ତୋତେ ଚରାଚର ।

ପକ୍ଷିଗଣ ମିଳି

ଦେଲେ ହୁଳହୁଳି,

ସେ ରବେ ଚୌଦିଗ

ପଡ଼ିଲା ଉଛୁଳି ।

ପର୍ବତ କନ୍ଦରା

ମଧ୍ୟରୁ ପବନ

କଲା ଘନ ଘନ

ଶୁଭ ଶଙ୍ଖ ସ୍ୱନ ।

ଦିଗ୍‌ଦେବୀମଣ୍ଡଳୀ

ଲଭିଣ ଆହ୍ଲାଦ

ପ୍ରତିଧ୍ୱନି ବ୍ୟାଜେ

କଲେ ଆଶୀର୍ବାଦ ।

ପୁଷ୍ପାଞ୍ଜଳି ଦେଇ

ଅର୍ଚ୍ଚିଲେ ସେକାଳେ

ବେନି କୂଳବର୍ତ୍ତୀ

ବନସ୍ପତିଜାଳେ ।

ତୀରଚାରୀ ମୃଗ-

ମୃଗୀ କୋଟି କୋଟି

ତୀର ବେଗେ ଧାଇଁ

ଆସିଲେ ପାଛୋଟି ।

ତୀରମଣ୍ଡୀ ତଣ୍ଡି

ଶାଖା ସଞ୍ଚାଳନ-

ଛଳେ କଲେ ସିତ

ଚାମର ବ୍ୟଜନ ।

ଓଗାଳିଣ କେତେ

ବାଧା ଗତି ପଥେ

ବାଦ ସାଧିଲେ

ସେ ତୋର ମନୋରଥେ ।

ମାତ୍ର ତୋର ଦୃଢ଼

ସଙ୍କଳ୍ପିତ ମନ

ମାନିଲା ନାହିଁ ସେ

ବିଘ୍ନ କଦାଚନ ।

ଦେଶକାଳପାତ୍ର

ନୀତି ଅନୁସରି

ସେ ରିପୁଙ୍କ ହସ୍ତୁଁ

ଗଲୁ ତୁ ଉତ୍ତରି ।

ଦୁର୍ବଳେ ବୁଡ଼ାଇ

ଚଳିଲୁ ସତ୍ୱରେ,

ବାଟ ଭାଙ୍ଗି ଗଲୁ

ପ୍ରବଳ ପାଖରେ ।

ଶିଳା ଶେଯେ କଲୁ

ଡେଇଁ ଡେଇଁ ଗତି,

କାହିଁ ଉଗ୍ର କାହିଁ

ଶୀତଳ ମୂରତି ।

କାହିଁ ଘୁ ଘୁ କାହିଁ

ଧୁ ଧୁ ସ୍ୱନେ ସ୍ୱନି

କାହିଁ ଚଳୁ କରି

କଳ କଳ ଧ୍ୱନି ।

କାହିଁ ଜଳସ୍ତମ୍ଭ

ସୃଜି କୁତୁହଳେ

ଊର୍ଦ୍ଧ୍ୱୁ ଚିଲା ମାରି

ପଡ଼ୁ ଆସି ତଳେ ।

ଗର୍ଜି ଉଚ୍ଚେ କ୍ରୁଦ୍ଧା

ନାଗୁଣୀ ସମାନ

ଉଦ୍ଗାରୁ ସବେଗେ

ଫେନପୁଞ୍ଜମାନ ।

ବନ୍ଧୁର ପାଷାଣ

ଶେଯେ ହୋଇ ପାର,

ଭେଟିଲୁ ଆସି ତୁ

ବିସ୍ତୀର୍ଣ୍ଣ କାନ୍ତାର ।

କଣ୍ଟକ, ଶ୍ୱାପଦ-

ଉଭେ କଣ୍ଟକିତ,

ଗାଏ ବିଭୀଷିକା

ନୀରବ ସଙ୍ଗୀତ ।

ନିଃଶଙ୍କେ ଭେଦି ତୁ

ସେ ଘୋର କାନନେ,

ହେଲୁ ଅଗ୍ରସର

କୁଟିଳ ଗମନେ ।

ହେରି ତୋ ଉଲ୍ଲୋଳ

କଲ୍ଲୋଳର ଲୀଳା

କଳକାକଳିନୀ

ନିର୍ମଳସଲିଳା-

ଗଡ଼ଜୋଳ ନଦୀ

ପୁଣି କଣ୍ଟିଆଳୀ,

ଆଲିଙ୍ଗିଲେ ତୋତେ

ଯଥା ପ୍ରିୟଆଳୀ ।

ନୀର କ୍ଷୀର ପ୍ରାୟେ

ହୃଦୟେ ହୃଦୟେ

ମିଶାଇ ଚଳିଲୁ

ଘେନି ସଖୀଦ୍ୱୟେ ।

ଦର୍ଶକ ନୟନେ

ସେ ଶୁଭମିଳନ

ତ୍ରିବେଣୀର ଚିତ୍ର

କଲାକ ଅଙ୍କନ ।

ସ୍ୱଭାବରେ ଯେଣୁ

ଗିରି ମେଘାସନ

ଲଭିଛି ଉତ୍କଳେ

ହିମାଦ୍ରି ଆସନ ।

ତାହାର ତୁ ଜ୍ୟେଷ୍ଠା

କନ୍ୟା ଗୁଣବତୀ,

ତେଣୁ ତୁ ଉତ୍କଳେ

ନିଶ୍ଚେଁ ଭାଗୀରଥୀ ।

ମହତ କୁଳରେ

ତୋହର ଉଦ୍ଭବ,

ତେଣୁ ମହାକାର୍ଯ୍ୟ

ତୋ’ଠାରେ ସମ୍ଭବ ।

ଆଶ୍ରିତର ଭାର

କରେ ଯେ ବହନ,

ସେ ସିନା ମହତ

ନାମକୁ ଭାଜନ ।

ପିତା ତୋର ଅତି

ବଦାନ୍ୟ ହୃଦୟ,

ଅସଂଖ୍ୟ ପ୍ରାଣୀର

ପରମ ଆଶ୍ରୟ ।

ସେହିପରି ତୁହି

ବିତରି ଜୀବନ,

ଅଗଣିତ ଜୀବେ

ପ୍ରଦାନୁ ଜୀବନ ।

ବଂଶୀୟ ସଦ୍ଗୁଣ

ସିନା ବଳେ ବଳେ,

ସୁସନ୍ତତି-ହୃଦ-

ବିମ୍ୱେ ପ୍ରତିଫଳେ ।

ସୁଦୂରବାହିନୀ

ତୁହି ଲୋ ସାଳନ୍ଦି,

ମଞ୍ଜୁ ଭଞ୍ଜ ଭୂମେ

ବେଢ଼ିଅଛୁ ଛନ୍ଦି ।

ଜନକ ମନ୍ଦିରୁଁ

ବାହାରି ତଟିନି,

ଚଳିଲୁ ହୋଇ ତୁ

ପଶ୍ଚିମବାହିନୀ ।

ଖଣ୍ଡେଦୂର ଖରେ

ଆସି ଏକୁଟିଆ

ଭେଟିଲୁ ସମ୍ମଖେ

ଗ୍ରାମ ଡଙ୍ଗାଡିହା ।

ନାହିଁ ସେ ଖଣ୍ଡରେ

ଆନ ଜଳାଶୟ,

ତୁ ଏକା ସେ ଗ୍ରାମେ

ମହତ ଆଶ୍ରୟ ।

ଧୋଇ ପୂର୍ବଘାଟ

ଗିରି ପୂତ ପାଦ

ଗମିଲୁ ଦକ୍ଷିଣେ

ଲଭି ମହାହ୍ଲାଦ ।

ଭେଟିଲୁ ତୁ ତହୁଁ

ଯାଇ ଜଡିପଦା,

ଅଧିଷ୍ଠିତ ଯହିଁ

ଶୋଭାଦେବୀ ସଦା ।

ଗିରିସ୍ତରେ ମଣ୍ଡି

ତୋର ବେନି ତୀର

ଦିଶେ ଯଥା ଦୀର୍ଘ

ମର୍କତ ପ୍ରାଚୀର ।

ଗଡ଼ ପ୍ରାୟେ ଶୋଭେ

ମଧ୍ୟଖଣ୍ଡ ଧରା,

ହିଂସ୍ରଜନ୍ତୁ ସଦା

ଦିଅନ୍ତି ପହରା ।

ଅତିଥି-ସେବାରେ

ଯେଣୁ ସାବଧାନ,

ରଖିଛୁ ଅତିଥି

ପୂଜା ଉପାଦାନ ।

ଗର୍ଭରେ ସମ୍ପାଦି

ରଖିଅଛୁ ଜଳ,

ବେନି ତୀରେ ବହୁ

ସୁରସାଳ ଫଳ ।

ଚିକ୍କଣ ନିର୍ମଳ

ପ୍ରସ୍ତର ଆସନ,

ଅସଂଖ୍ୟ କନ୍ଦରା

ସୁରମ୍ୟ ସଦନ ।

ଛୁରିଅନା ଚମ୍ପା

ନାଗେଶ୍ୱର ବନ

ନିନ୍ଦଇ ଅମରା

ନନ୍ଦନ କାନନ ।

ବିକଟ ସୁନ୍ଦର

ଦୃଶ୍ୟ ସେ ସ୍ଥାନର

ଧରି ରଖେ ପାନ୍ଥ

ନୟନ ଅନ୍ତର ।

ଭେଦି ସାତବେଢ଼ି୧

ବାରବାଙ୍କଠାରେ୨

ଚାଲୁ ତୁ ବିଭକ୍ତ

ହୋଇ ବହୁଧାରେ ।

ଦୂରୁଁ ଦିଶେ ଯଥା

ବହୁ ବାତାହାରୀ୩

ଏକ ବିଳୁଁ ସଙ୍ଗେ

ଆସନ୍ତି ବାହାରି ।

ଅବା ବହୁ କେରା

ରୌପ୍ୟ ଚନ୍ଦ୍ରହାର

ଧରଣୀ କଟିରେ

ଦିଶଇ ଉଦାର ।

କେତେ ସ୍ଥାନେ ରାଜେ

କୋହ୍ଲ ଭିଲ ପଲ୍ଲୀ,

ମାଡ଼ିଅଛି ଚାଳେ

ବଣମଲ୍ଲୀ-ବଲ୍ଲୀ ।

କିରାତ ବାଳକେ

ବନେ ବୁଲି ବୁଲି

ନିରୀହ ବିହଗେ

ବିନ୍ଧନ୍ତି ବାଟୁଳି ।

ଧନୁଶର ଧରି

କେ କରେ ପରୀକ୍ଷା

ସ୍ୱକୀୟ ଅଭ୍ୟସ୍ତ

ଲକ୍ଷ୍ୟଭେଦ ଶିକ୍ଷା ।

ହସ୍ତଲଘୁତା ବା

କେ ଦେଖାଏ ଶୂଳେ

ପ୍ରଦାନି ବୈଧବ୍ୟ-

ଦୀକ୍ଷା ମୃଗୀକୁଳେ ।

ସାଳନ୍ଦି, ତୋ ନୀରେ

ବନ୍ୟବାଳାକୁଳ

ବିଚରନ୍ତି ଜଳ-

କେଳି ହୋଇ ଠୁଳ ।

ବୁଡ଼ାଇ ସଲିଳେ

ଆକଣ୍ଠ ଶରୀର

ଟେକିଥାନ୍ତି ମାତ୍ର

ଉପରକୁ ଶିର ।

ତୋ ବକ୍ଷେ କମଳ

ଫୁଟିଲା ପରାଏ

ତାହାଙ୍କ ଅମଳ

ଆସ୍ୟ ଶୋଭାପାଏ ।

ସ୍ନାନାନ୍ତେ ସକଳେ

ଧରି କକ୍ଷେ ଶିରେ-

ଜଳପୂର୍ଣ୍ଣ କୁମ୍ଭ,

ଗମନ୍ତି ସଧୀରେ ।

ଚାଲୁ ଚାଲୁ ବାଟେ

ତୋଳି ଯୂଈ ଜବା

କରନ୍ତି ମଣ୍ଡନ

ତୈଲଙ୍ଗୀୟ ଗଭା ।

ପଦ୍ମରାଗ ମୋତି

ଗୁନ୍ଥା ହେଲା ତୁଲେ

ଶୋଭେ ତା ଶୋଭାମ୍ୱୁ

-ଧୌତ ଗଭା ମୂଳେ ।

ନୀର-ଦରପଣେ

ନିରେଖି ସେ ଖୋଷା

ଭାସନ୍ତି ହରଷ-

ରସେ ସର୍ବ ଯୋଷା ।

ଅମନ୍ଦଗାମିନୀ

ତୁହି ଲୋ ସାଳନ୍ଦି,

କରୁ ତୁ ଭାବୁକ

ମନୋନେତ୍ର ବନ୍ଦୀ ।

ତୋ ସ୍ରୋତ ତରଳ-

ରଜତର ଧାର,

ଅବନୀ ବକ୍ଷରେ

କିବା ମଲ୍ଲିହାର !

ମଲ୍ଲିପସି ୪ ରୁଦ୍ର

ଦୃଶ୍ୟ ଆଣେ ଭୀତି,

ଆଜୀବନ ହୁଏ

ନୟନ-ଅତିଥି ।

ବିକଟ-ସଙ୍କଟ-

ସଙ୍କୁଚିତ ପଥେ

ଚଳୁ ତହିଁ ତୁହି

ହୃଷ୍ଟ ମନୋରଥେ ।

ଗର୍ଭେ ଠାବେ ଠାବେ

ସୁଗଭୀର କୁଣ୍ଡ,

ବେନି ପାଶେ ଗିରି

ଟେକିଛନ୍ତି ମୁଣ୍ଡ ।

ଊର୍ଦ୍ଧ୍ୱୁ ଖସି ଜଳ

ସ୍ଥୂଳ ସ୍ତମ୍ଭାକାରେ

ତୀରବର୍ତ୍ତୀ ଭୂମେ

ସଘନେ ଝଙ୍କାରେ ।

ପୃଥୁଳେ ସେ ଶବ୍ଦେ

ରାତ୍ରେ ଘଡ଼ି ଘଡ଼ି

ତୀର-ଶୈଳଚାରୀ

ମହାବଳ ରଡ଼ି ।

ଉଠି ପୁଣି ତାର

ଶତ ପ୍ରତିଧ୍ୱାନ

ତହିଁ ମିଶି ତାକୁ

କରଇ ମହାନ ।

ନାଦେ କି ଈଶାନ

ପ୍ରଳୟ ବିଷାଣ,

ଶୁଣି ଥରେ ଭୟେ

ପଥିକର ପ୍ରାଣ ।

ଅତି ଶୀତ ବାତ

ତହିଁ ପ୍ରବାହିତ,

ନିଦାଘ ମଧ୍ୟାହ୍ନେ

କରି ଉଠେ ଶୀତ ।

ବହୁ ଊର୍ଦ୍ଧ୍ୱ ଜଳ

ଖସିପଡ଼େ ତଳେ,

ଫାଟିପଡ଼େ ଆଖି

ଚାହିଁଲେ ସେ ସ୍ଥଳେ ।

ସେ ଜଳପ୍ରପାତ

ଦେଖି ଭାବେ କବି,

ହିମାଦ୍ରି ଶିଖରୁ

ପଡ଼େ କି ଜାହ୍ନବୀ ?

ଦେବଭୋଗ୍ୟ ଫଳ

ପାଚି ବୃନ୍ତୁ ଝଡ଼ି

ତୋହ ଜଳେ ପଡ଼ି

ଯାଉଅଛି ସଢ଼ି ।

ଅପ୍ରସିଦ୍ଧ ଦେଶେ

ଯଥା ମହାଜନ-

ସୁପ୍ରତିଭା ନଷ୍ଟ

ହୁଏ ଅକାରଣ ।

 

 

୧-ସ୍ୱନାମପ୍ରସିଦ୍ଧ ପର୍ବତ ।

 

୨- ସ୍ଥାନବିଶେଷ ।

 

୩- ସର୍ପ ।

 

୪- ସ୍ୱନାମପ୍ରସିଦ୍ଧ ଗ୍ରାମବିଶେଷ ।

 

 

 

ନିର୍ଭୟରେ ଲାଞ୍ଜ

ପିଟି ମତ୍ସ୍ୟଦଳ

ତୀରଚାରୀ ଦେହେ

ଛାଟୁଥାନ୍ତି ଜଳ ।

ସଙ୍କଟ ପରାୟେ

ଭୀଷଣ କୁମ୍ଭୀରେ

ଭାସୁଥାନ୍ତି କେତେ

ପୁଚ୍ଛ ଚାଳି ଧୀରେ ।

ବନ ହସ୍ତୀପଲ

ହୋଇ ଠେଲାଠେଲି

ନିଦାଘେ ରଚନ୍ତି

ତହିଁ ଜଳକେଳି ।

ଜଳଧାରାକୁ କେ

ଦେଖାଏ ବା ମୁଣ୍ଡ,

ଖଣ୍ଡ ଖଣ୍ଡ କେହୁ

କରେ ପିଟି ଶୁଣ୍ଢ ।

ଜଳଧାରା ସଙ୍ଗେ

କରୀଏ ଏପରି

ଯୁଦ୍ଧ କରି କରି

ଖେଳନ୍ତି ପହଁରି ।

କାହିଁ ମୃଗକୁଳ

ସତ୍ରାସ ଚଞ୍ଚଳ-

ଚାହାଁଣି ପ୍ରକାଶି

ପିଉଥାନ୍ତି ଜଳ ।

କାହିଁ ବା ବରାହ

କାହିଁ ନୀଳଗାଈ

ସଭୟେ ଉତ୍ପୁଚ୍ଛେ

ଯାଆନ୍ତି ପଳାଇ ।

ବଣୁଆ ବାଣୁଆ

ପ୍ରସ୍ତର ଉହାଡ଼େ ।

ଛକିଥାଏ କାଣ୍ଡ

ଧରି କେଉଁଆଡ଼େ ।

ଚଳଲକ୍ଷ୍ୟଭେଦୀ

ତାହାଙ୍କର ବାଣ,

ନିମିଷେ ନିଅଇ

ଆକ୍ରାନ୍ତର ପ୍ରାଣ ।

ରୁଦ୍ର ମନୋହର

ଆଶ୍ଚର୍ଯ୍ୟ ଦୃଶ୍ୟରେ

ପୂର୍ଣ୍ଣ ବକ୍ଷ-ତୀର

ତୋର ନିରନ୍ତରେ ।

ଏକାଧାରେ ଠୁଳ

ହସ, କାନ୍ଦ, ରୋଷ,

ଯେ ଆଧାରେ ଗୁଣ

ସେ ଆଧାରେ ଦୋଷ ।

ତହୁଁ କିଛି ଦୂର

ବହି ବନପଥେ

ଚମ୍ପାପାଳ ଗ୍ରାମ

ଭେଟିଲୁ ପୁରତେ ।

ଭଞ୍ଜଭୂମି ସୀମା

ସେହିଠାରୁ ଛାଡ଼ି

ନିମ୍ନଗତି କଲୁ

ପଥାପଥ ମାଡ଼ି ।

ଛାଡ଼ି ହଦଗଡ଼

ଜଙ୍ଗଲ ପ୍ରଦେଶ

ମାଗଧ ସୀମାରେ

କଲୁ ତୁ ପ୍ରବେଶ ।

କେତେ ସ୍ଥାନେ ବହୁ

କେତେ ଭଙ୍ଗୀ କରି,

କାହିଁ ବକ୍ରଗତି

ଭୁଜଙ୍ଗିନୀ ପରି ।

କାହିଁ ବା ସଳଖେ

ଯାଉ ଖଣ୍ଡେ ଚାଲି,

ଗିରିଗର୍ଭେ କାହିଁ

ଖେଳୁ ଲୁଚକାଳି ।

କାହିଁ ବହୁ ଧରି

ବିସ୍ତୀର୍ଣ୍ଣ ଆକାର

କାହିଁ ଅବା କ୍ଷୀଣ

ଯଥା ସରୁ ଗାର ।

ଲଙ୍ଘି କେତେ ବନ

ବିଶାଳ ପ୍ରାନ୍ତର,

ଗ୍ରାମ ରାଜଧାନୀ

ଅସଂଖ୍ୟ ନଗର,

ମିଶାଇଲୁ ଅଙ୍ଗ

ମହାସିନ୍ଧୁ ଅଙ୍ଗେ,

ପାତକହାରିଣୀ

ବୈତରଣୀ ସଙ୍ଗେ ।

ସାଳନ୍ଦି, ତୋହର

ବନ୍ୟାରୁଦ୍ର ମୂର୍ତ୍ତି

ନିରେଖି ହୃଦୟେ

ଧରି ନୁହେଁ ଧୃତି ।

ପ୍ରବଳ ବେଗରେ

ମାଡ଼ିଆସେ ଜଳ,

ଧାଏଁ ଖରେ ସ୍ରୋତ

ଗର୍ଜ୍ଜି କଳକଳ ।

ବିସୃଜିଣ କେତେ

ଭୀଷଣ ଭଉଁରୀ

ଖେଳୁ ପ୍ରିୟ ଖେଳ

ତୁ ଚକାଭଉଁରୀ ।

ଯେ ପଡ଼େ ସେ ଭୀମ

ଭଉଁରୀ ବେଗରେ,

ଘୂରି ଘୂରି ଶେଷେ

ବୁଡ଼ିଯାଏ ଖରେ ।

କର୍ମ-ଆବର୍ତ୍ତରେ

ପଡ଼ି ଜୀବ ଯଥା,

ଘୂରି କିଛି କାଳ

ହରାଏ ସ୍ୱସତ୍ତା ।

ଭାସିଯାଏ ସ୍ରୋତେ

କେତେ ଆବର୍ଜ୍ଜନା,

ପ୍ରାଣ-ସ୍ରୋତେ ଯଥା

ଅସଂଖ୍ୟ ଘଟନା ।

ନବନୀତ-ଜିତ

ଶୁକ୍ଳ ଫେନରାଶି

ଚଳତାରା ପ୍ରାୟେ

ଆସେ ସ୍ରୋତେ ଭାସି ।

ସୁକବି-କଳ୍ପନା-

ପ୍ରବାହେ ଯେସନ

ଭାସି ଆସେ କ୍ରମେ

ଭାବ ଅଗଣନ ।

ସେ ବିଶାଳ ଫେନ-

ସ୍ତୂପ ଆଶ୍ରା କରି

ଭାସିଯାନ୍ତି ସର୍ପେ

ଭେଳାରୋହୀ ପରି ।

ବନ୍ୟା ଉପଦ୍ରବୁଁ

ବହୁ ପ୍ରାଣୀଙ୍କର

ଜୀବନ ଉଦ୍ଧାରେ

ସେ ଫେନନିକର ।

ପିମ୍ପୁଡ଼ି ଉପରେ

ପିମ୍ପୁଡ଼ି ଆରୋହି

ଭାସି ଯାଉଥାନ୍ତି

ମଳା ମଳା ହୋଇ ।

ହେଲେ ହେଁ ସେମାନେ

ଆକୃତିରେ ସାନ,

ନିଶ୍ଚୟ ମନୁଷ୍ୟ-

ଠାରୁ ବୁଦ୍ଧିମାନ ।

ଏକତା ବଳରେ

ପ୍ରବଳ ସକଳେ,

ଅସାଧ୍ୟ ସାଧନ

କରନ୍ତି ସେ ବଳେ ।

ସ୍ରୋତ ନିକୃନ୍ତନେ

ହୋଇ ତୀରଛଡ଼ା

ଖସେ ଭୀମ ନାଦେ

ଭୀଷଣ ଅତଡ଼ା ।

ସେ ଶବଦ ତୀରବାସୀ

ସୁପ୍ତଜନେ

ନିସ୍ତବ୍‌ଧ ନିଶୀଥେ

ଜଗାଏ ବହନେ ।

ସାଳନ୍ଦି ! ତୋ ଗର୍ଭେ

ଅଛି ଯହିଁ ଗଣ୍ଡ,

ସେହିଠାରେ ତୋର

କ୍ଷମତା ପ୍ରଚଣ୍ଡ ।

ତୀବ୍ର ଆନ୍ଦୋଳନେ

ଫୁଲିଉଠେ ଜଳ

ସୃଜି ଚାରୁବେଣୀ

ଗର୍ଜ୍ଜି କଳ କଳ ।

ସେ ଜଳତାଣ୍ଡବ

ଦେଖି ହୁଏ ପ୍ରତେ,

ଖୋଜୁଛନ୍ତି କିବା

ଗଙ୍ଗା ଭଗୀରଥେ ।

ସେ ରୁଦ୍ର ତାଣ୍ଡବ

ନାବବାହୀ ମନେ

ନାବମଗ୍ନାଶଙ୍କା

ଆଣେ କ୍ଷଣେ କ୍ଷଣେ ।

ଜଳାବର୍ତ୍ତେ ପଡ଼ି

ହୋଇଣ ଦୁର୍ବଳ

ଭାସି ଉଠୁଥାନ୍ତି

ରୋହିତ ଚିତଳ ।

ଖଣ୍ଡାକୃତି ଜହ୍‌ଲା

ସ୍ରୋତ ପ୍ରତିକୂଳେ

ସନ୍ତରି ନ ପାରି

ଡେଇଁ ଡେଇଁ ବୁଲେ ।

ଅତି ଖରେ ତୋର

ବନ୍ୟା ଆସେ ମାଡ଼ି

ତୀରସ୍ଥ ପାଦପେ

ସମୂଳେ ଉପାଡ଼ି,

ମୁହୂର୍ତ୍ତେ ପ୍ରାନ୍ତର

ବନ ପଥ ସର୍ବ

ଏକାକାର କରି

ସୃଜେ ନବାର୍ଣ୍ଣବ ।

ସେ କାଳେ ତୋ ରୁଦ୍ର

ସୁନ୍ଦର ମୂରତି

ବର୍ଣ୍ଣିବାକୁ ନଦି !

କାହିଁ ମୋ ଶକତି ?

କେବେ ବା ପ୍ରବଳେ

ପ୍ରବାହି ପବନ

ସୃଜେ ବକ୍ଷେ ତୋର

ବୀଚି ଅଗଣନ ।

ମହାକୋପେ ତହୁଁ

ଗର୍ଜ୍ଜୁତୁ ଭୈରବେ,

ପୃଥୁଳେ ଶ୍ୱସନ

ନିଃସ୍ୱନ ସେ ରବେ ।

ଚରାଚରତ୍ରାସୀ

ସେ ଭୀଷଣ ନାଦ

ଶୁଣି ତୀରବାସୀ

ଗଣନ୍ତି ପ୍ରମାଦ ।

ଢେଉ ପଛେ ଢେଉ

ଆସିଣ ସର୍ବଥା

ତୀରଭୂମି ପାଦେ

ପିଟିଦିଏ ମଥା ।

କମ୍ପିଉଠେ ସେହି

ଆଘାତେ ଅବନୀ,

ତୀରସ୍ଥ ଉଦ୍ୟାନୁ

ଉଠେ ପ୍ରତିଧ୍ୱନି ।

ପ୍ରକୃତି-ରାଣୀ ବା

କହନ୍ତି ଏ ରୂପ,-

“ସମ୍ୱର ସାଳନ୍ଦି,

ଏ ତୋ ଭୀମରୂପ ।”

ଜଳଦେବୀ କେଳି-

ମଣ୍ଡପ ପରାଏ

ବିରାଜେ ତୋ ଗର୍ଭେ

କୁଦ ଠାଏ ଠାଏ ।

ଖଟାଇଣ ନାବ

ରଜନୀ ସମୟେ

ବିଶ୍ରାମନ୍ତି ତହିଁ

ନାବିକନିଚୟେ ।

ଜଳଚର ପକ୍ଷିକୁଳ

କଳଋତ-

ଘେନି ବିହରଇ

ସେଠାରେ ମାରୁତ ।

ଚବୋରଦମ୍ପତି

ଦିବା ଅଭିସାର,

ମୃତ ମାନବର

ଚରମ ଆଗାର ।

ଉଲ୍‌କାମୁଖୀ ମୁଖ-

ସମ୍ଭୂତ ଆଲୁଏ

ନିଶୀଥେ ସେ ସ୍ଥାନ

ଆଲୋକିତ ହୁଏ ।

ଡାଆଣୀ ଆଲୁଅ ମଣି

ସେ ଆଲୋକେ,

ଚମକିଉଠନ୍ତି

ଦେଖି ପାନ୍ଥ ଲୋକେ ।

କେଉଁ କୁଦ ଉଚ୍ଚ

କେହି ଖର୍ବାକାର,

ବର୍ତ୍ତୁଳ ତ୍ରିକୋଣ

ଆକୃତି କାହାର ।

କେହି ତରୁଶୂନ୍ୟ

କେ ତରୁଗହଳ,

କେ ମୃତ୍ତିକା କେହି

ବାଲୁକା କେବଳ ।

ଇଜ୍ଜଳାଖ୍ୟ ବୃକ୍ଷ

ରହି ପୁଞ୍ଜ ପୁଞ୍ଜ

ରଚିଛନ୍ତି କେଉଁ

କୁଦେ ମଞ୍ଜୁ କୁଞ୍ଜ ।

ବସନ୍ତେ ସେ କୁଞ୍ଜୁ

ହଳଦୀବସନ୍ତ

ସଙ୍ଗୀତ ଆଳାପ

ଉଠଇ ସନ୍ତତ ।

ପବନ ହିଲ୍ଲୋଳେ

ଦୋଳି ନିମ୍ୱଡାଳେ,

କାହିଁ ପିକବଧୂ

“କୁହୁ” ମଧୁ ଢାଳେ ।

ନିସ୍ତବ୍‌ଧ ନିଶୀଥେ

ଜଳଦେବୀକୁଳ

ବିରଚନ୍ତି କେଳି

ହୋଇ ତହିଁ ଠୁଳ ।

ବାତବିଦୁଳିତ

ପାଣିବେତଗଣ

କରନ୍ତି ତାହାଙ୍କୁ

ଚାମରେ ବ୍ୟଜନ ।

ନିଶୀଥ ଗର୍ଜ୍ଜନ

ବ୍ୟାଜେ ନିସ୍ତବ୍‌ଧତା

ଜିଜ୍ଞାସେ ଦେବୀଙ୍କୁ

ସ୍ୱାଗତ ବାରତା ।

ପୂଜନ୍ତି ଦେବୀଙ୍କି

ଦ୍ରୁମ ଲତାବଳୀ

ଅର୍ପି ଶ୍ରୀଚରଣେ

କୁସୁମ ଅଞ୍ଜଳି ।

ବୃକ୍ଷୁଁ ବୃକ୍ଷାନ୍ତରେ

ଛନ୍ଦି ଦେଇ ସୂତା

ନିର୍ମାଣେ ଦେବୀଙ୍କ

ଚନ୍ଦ୍ରାତପ ଲୂତା ।

ବିନ୍ଦୁ ବିନ୍ଦୁ ତହିଁ

ପଡ଼ିଣ ଶିଶିର

ମୁକ୍ତାଥୋପା ପ୍ରାୟ

ଦିଶଇ ରୁଚିର ।

ଚନ୍ଦ୍ରିକା ପରଶେ

ସେହି ଚନ୍ଦ୍ରାତପ

ବିକାଶେ ଜାଜ୍ୱଲ୍ୟ

ଜ୍ୟୋତି ଧପ ଧପ ।

ନଗଣ୍ୟ କୀଟ ଏ

ଲୂତା କ୍ଷୁଦ୍ରକାୟ,

କିନ୍ତୁ କୀଟରାଜ୍ୟେ

ବିଜ୍ଞ ତନ୍ତୁବାୟ ।

ଉଚ୍ଚ କଳାବିଦ୍ୟା

ମାନବ ଅଜ୍ଞେୟ

କାହୁଁ ଏ ଶିଖିଲା

କୀଟକୁଳହେୟ ।

ଜଗଦ୍ଗୁରୁ ହରି

ଜଗତ କର୍ଣ୍ଣରେ

ପ୍ରଚାରନ୍ତି ଶିକ୍ଷା

ଅତି ଗୋପନରେ ।

ସେହି ଶିକ୍ଷା ସିନା

ଜୀବର ସମ୍ୱଳ,

ଆନ ଶିକ୍ଷା ତାର

ସ୍ମରଣ କେବଳ ।

ସୃଷ୍ଟିକାଳୁଁ କୀଟ !

ବଂଶ ଅନୁକ୍ରମେ

ରତ ଅଛୁ ତୁହି

ଏକ ଭଳି କର୍ମେ ।

ରଖିଅଛୁ ରୁଚି

ସେଥିରେ ସମାନ,

ନ ଶିଖୁ କିପାଇଁ

ନବ୍ୟ ରୁଚିମାନ ?

ନିତ୍ୟ ପରିବର୍ତ୍ତ-

ଶୀଳ ଏହି ଭବେ

ପରିବର୍ତ୍ତନହିଁ

କେବଳ ସମ୍ଭବେ ।

ନବୀନ ରୀତିର

ନିତ୍ୟ ଉଦ୍ଭାବନ

ଦେଖି ନ ତେଜିଲୁ

ପ୍ରଥା ପୁରାତନ ।

ନାହିଁ ତୋର ଆନ

ସୁରୁଚିରେ ଆଶ,

ମାନବ କେବଳ

ସିନା ରୁଚିଦାସ ।

ସୁଖଦ ଶରଦେ

ଧରୁ ଲୋ ସାଳନ୍ଦି !

ରମଣୀୟ ଶୋଭା

ଯଥା ବିଷ୍ଣୁପଦୀ ।

ଧରଣୀର ଚାରୁ

ସୀମନ୍ତ ପରାଏ

ସେ କାଳେ ତୋ ଦିବ୍ୟ

ରୂପ ଶୋଭାପାଏ ।

ବର୍ଷା-କଳୁଷିତ

ଭାବ ପରିହରି

ସତ୍ତ୍ୱ ଗୁଣ ଧରି

ଭ୍ରମ ପୂର୍ବ ପରି ।

ଶୁଭ୍ର ନୀର ତୋର

ଯଥା ମାତୃକ୍ଷୀର,

ବଢ଼ାଏ ସ୍ଥାବର

ଜଙ୍ଗମ ଶରୀର ।

ଶୁକ୍ତି-ତାରକିତ

ବାଲୁକା ପୁଳିନ

ମନୁ କ୍ଷୁଦ୍ର ଭାବ

କରିଦିଏ ଲୀନ ।

ଚାନ୍ଦିନୀ ରାତିରେ

ସେ ଶୁକ୍ତି-ସୈକତ

ଶୋଭେ ହୀରାଖଣ୍ଡ

ମୁକ୍ତାରାଶିବତ ।

ଜଳଦେବୀକୁଳ

କେଳି ନିକାଞ୍ଚନ,

ତେଣୁ ଅବା ଠୁଳ

ହୋଇ ଦେବୀଗଣ,

ତାଣ୍ଡବ ନର୍ତ୍ତନ

କରନ୍ତି ଏ ଠାବେ,

ଗଭୀର ନିଶୀଥେ

ଭୋଳ ହୋଇ ଭାବେ ।

ସେ ନର୍ତ୍ତନେ ଛିଡ଼ି

ମୋତି ହୀରା ହାରେ

ବୁଣି ହୋଇ ଅବା

ପଡ଼ିଛି ଏଠାରେ ।

ସାତ ପାଞ୍ଚ ମାଝି

ମିଳି ଏକସଙ୍ଗେ

ବସି ନିଜ ନିଜ

ନାବ ପଛ ମଙ୍ଗେ,

କ୍ଷେପଣୀ ନିକ୍ଷେପି

ଗୀତ ଗାଇ ଗାଇ

ଧୀର ସ୍ରୋତେ ନାବ

ନେଉଥାନ୍ତି ବାହି ।

ଶ୍ରମଅପହାରୀ

ସେ ଢମାଳି ସ୍ୱର

ନଦୀବକ୍ଷେ କରେ

ନିଶୀଥେ ମୁଖର ।

କାହିଁ ମତ୍ସ୍ୟଜୀବୀ

ମତ୍ସ୍ୟକୁଳବୁଡ଼ା

ନଦୀବକ୍ଷେ ନାବେ

ଜାଳିଦିଏ ହୁଡ଼ା ।

ସେ ଆଲୋକ ନଦୀ

ଜଳେ ପ୍ରତିଫଳି

ତପ୍ତ ହାଟକର

ଶୋଭା ଦିଏ ଦଳି ।

ଦେଖିଣ ସେ ଶୋଭା

ଦୂରୁଁ ମୀନକୁଳ,

ହୋଇ ଅତିଶୟ

ଆନନ୍ଦେ ଆକୁଳ,

ନେତ୍ରଯୁଗପ୍ରୀତି-

ସମ୍ପାଦନ ଆଶେ,

ଆସନ୍ତି ସକଳେ

ଧାଇଁ ତାହା ପାଶେ ।

ସେ ଆଲୋକେ ଅଙ୍ଗ

ମିଶାଇବା ପାଇଁ

ଡେଇଁପଡ଼ି ନାବେ

ପଡ଼ନ୍ତି ସେ ଯାଇ ।

ଗୋଟିଏ ଇନ୍ଦ୍ରିୟ

ସେବାରେ ସକଳେ

ପଡ଼ିଲେ ଅକାଳେ

ଶମନ କବଳେ ।

ସେବେ ନର ସଦା

ପାଞ୍ଚଟି ଇନ୍ଦ୍ରିୟ,

କି ଗତି ତାହାର

ବିଜ୍ଞେ ଭାବିନିଅ ।

ସାଳନ୍ଦି, ଶରତେ

ଛାଇ ତୋର ବକ୍ଷ

ଭାସନ୍ତି ଅଜ୍ଞାତ

କୀଟ ଲକ୍ଷ ଲକ୍ଷ ।

କେବଣ ଦେଶୁଁ ଏ

ଆସି କାହିଁ ପାଇଁ

ହରାନ୍ତି ଜୀବନ

କେହି ଜାଣେ ନାହିଁ ।

ଖେଳନ୍ତି ତରଙ୍ଗେ

ଶ୍ୱେତହଂସକୁଳ,

ଯେହ୍ନେ ଜଳଦେବୀ

ବେଣୀଖୋସା ଫୁଲ ।

ତରୁଲତାଗୁଳ୍ମେ

ସାଳନ୍ଦି, ତୋ ତୀର

ମଣ୍ଡିହୋଇ ଦିଶେ

ଶରତେ ରୁଚିର ।

ଧରିଥାନ୍ତି କାହିଁ

କାଶତଣ୍ଡୀପନ୍ତି

ସହସ୍ର ସହସ୍ର

ଶୁକ୍ଳ ବୈଜୟନ୍ତୀ ।

ଯେଣୁ ତୁହି ସଦା

ସତ୍ତ୍ୱଗୁଣମୟୀ,

ତେଣୁ ସେହି ଚିହ୍ନ

ଅଛୁ ଅବା ବହି ।

ତଣ୍ଡୀକୁଞ୍ଜେ ବସି

ବାୟା ଦଳେ ଦଳେ

ରତ ଥାନ୍ତି କେଳି-

କଳି କୋଳାହଳେ ।

କାହିଁ ଅଙ୍କରାନ୍ତି

ଶୋଭେ ଚିତ୍ରଫୁଲେ,

କାହିଁ ମର୍ଦ୍ଦରଙ୍ଗା

ମାଡ଼ିଛି ମଞ୍ଜୁଳେ ।

କାହିଁ ଅବା ଫୁଟି

କହ୍ଲାର ମହକେ,

ପବନ ହିଲ୍ଲୋଳେ

ନାଚି ଫକଫକେ ।

ଥଣ୍ଟରେ ଗାଙ୍ଗୋଇ

ଧରି ମାଛଟିଏ

ଗଛଡାଳେ ପିଟି

ତାର ପ୍ରାଣ ନିଏ ।

କିଛି କ୍ଷଣ ସ୍ଥିର

ରହି ଆକାଶରେ,

ଖସିପଡ଼ି ଜଳେ

ମାଛରଙ୍କା ଖରେ,

ମାଛ ଘେନି ଥଣ୍ଟେ

ଉଡ଼ିଯିବା ବେଳେ,

କ୍ଷଣେ ଇନ୍ଦ୍ରଧନୁ

ଶୋଭା ନଭେ ଖେଳେ ।

କାହିଁ ବା ତେଣ୍ଟେଇ

ପକ୍ଷୀ ଦଳେ ଦଳେ,

ଲମ୍ୱ କ୍ଷୀଣ ପାଦେ

ପ୍ରଧାବି ଚଞ୍ଚଳେ,

ସଘନେ ସଞ୍ଚାଳି

ପୁଚ୍ଛ କ୍ଷୁଦ୍ର ମୀନେ

ଧରି ଭୁଞ୍ଜୁଥାନ୍ତି

କି ରାତି କି ଦିନେ ।

ଜଳ କକ୍ଷେ କାହିଁ

ବକ୍ରବେକ ବକ

ବସିଛି ନିଶ୍ଚଳେ

ହୋର ସ୍ଥିରଲକ୍ଷ୍ୟ ।

ଦୈବେ ମୀନଟିଏ

ପଡ଼ିଲେ ନୟନେ,

ଗିଳିଦିଏ ଧରି

ତାହାକୁ ବହନେ ।

ଭ୍ରମୁଁ ଭ୍ରମୁଁ ଦିନେ

ସାଳନ୍ଦି, ତୋ ତୀରେ,

ଦେଖିଲି ପଡ଼ିଛି

କୀଟଟିଏ ନୀରେ ।

ମାଛ ଏକ ତାକୁ

ଖୁମ୍ପି ଖାଉଁ ଖାଉଁ

ଝାମ୍ପିନେଲା ଉଭେ

ଚିଲ ଆସି କାହୁଁ ।

ଜେତା ବିଜିତକୁ

କାଳ ଏହିପରି,

ଅଲକ୍ଷ୍ୟରେ କାହିଁ

ନେଇଯାଏ ହରି ।

ଏହିପରି ଦ୍ୱେଷ

ଈର୍ଷା ନିରନ୍ତରେ

ଲାଗିଛି ସାଳନ୍ଦି,

ସଦା ତୋ ବକ୍ଷରେ ।

ଜନନେତ୍ରେ ସଦା

କରୁ ତୁ ଅଙ୍କନ

ପ୍ରବଳ ଦୁର୍ବଳ

ଘୋର ସଙ୍ଘର୍ଷଣ ।

ଈର୍ଷା-ଅଭିନୟେ

ପୂର୍ଣ୍ଣ ଏ ଜଗତ,

ଲାଗିଛି ଏ ଲୀଳା

ସର୍ବତ୍ର ସତତ ।

ଏ ମହାଶିକ୍ଷା କି

ପ୍ରଚାରୁ ନୀରବେ,

ବୁଝିବେ ତୋ ଭାବ

ଭାବୁକ ମାନବେ ।

ହେମନ୍ତେ ତୋ ତୀରେ

ରାଜେ ଶସ୍ୟକ୍ଷେତ୍ର,

ଆକର୍ଷେ ଦୃଢ଼େ ସେ

ଦର୍ଶକର ନେତ୍ର ।

ସର୍ଷପ କେଦାରେ

ଘନେ ଫୁଟି ଫୁଲ,

ଦିଶେ ଶୁଖେ ଯଥା

ତୋ ପୀତ ଦୁକୂଳ ।

ତିଳ କ୍ଷେତ୍ରେ ବସେ

ସୁନାସିକା ହାଟ,

ଶଣ ସୌରଭରେ

ପୁରେ ବାଟ ଘାଟ ।

ଏ କାଳେ ତୋ ତୀର

ଶୋଭାର ଆକାର,

ଶସ୍ୟପୂର୍ଣ୍ଣ ଯଥା

ଲକ୍ଷ୍ମୀ ଗନ୍ତାଘର ।

କାର୍ତ୍ତିକବ୍ରତୀଏ

ଶେଷ ରଜନୀରେ

କରନ୍ତି ସ୍ନାନ ତୋ

ସୁପବିତ୍ର ନୀରେ ।

ସେ କାଳରେ ହରି

- ଧ୍ୱନି ହୁଳହୁଳି

ପୁଣ୍ୟ ଶବ୍ଦେ ଉଠେ

ତୋ ଗର୍ଭ ଉଛୁଳି ।

କାର୍ତ୍ତିକ ହବିଷ୍ୟ

ଉଦ୍‌ଯାପନ କାଳେ

ଦୀପ୍ତ ହୁଏ ତୋର

ବକ୍ଷ ଦୀପମାଳେ ।

ରମ୍ଭାପଟେ ରଥ

ନିର୍ମାଣି କୌଶଳେ

ଦୀପ ଜାଳି ତହିଁ

ଭସାନ୍ତି ତୋ ଜଳେ ।

“ଆକାମାଆବଇ”

ବିମାନନିକର

ଭାସି ବକ୍ଷେ ତୋର

ଦିଶେ ଚାରୁତର ।

ଯାଏ କେତେ ରଥ

ବହୁ ଦୂରେ ଭାସି,

ଅଟକେ ବା କେତେ

ତୀରେ ଫେରି ଆସି ।

ଭାସୁ ଭାସୁ କେତେ

ପବନ ବେଗରେ

ଲେଉଟି ପଡ଼ଇ

ଅର୍ଦ୍ଧପଥେ ଖରେ ।

ଏହିପରି ସର୍ବେ

ଭାଗ୍ୟଫଳ ପାଇ

ଜୀବନର ଲୀଳା

ଦିଅନ୍ତି ଦେଖାଇ ।

ଏହିପରି ସିନା

ଭବେ ଜୀବମାନେ

ଆସୁଛନ୍ତି ନିତ୍ୟ

ବିଧାତା ବିଧାନେ ।

କେହି ଦୀର୍ଘଜୀବୀ

ସୁକୃତିବଶରୁ,

ମୃତ ହୁଏ କେହୁ

ଜନନୀଜଠରୁ ।

କେହି ବା ଯୌବନେ

କେହି ବାଳକାଳେ,

ଚଳନ୍ତି ସକଳେ

ପ୍ରେତପତି–ଆଳେ ।

ଶ୍ରୀନାଶୀ ଶିଶିରେ

ତୋର ରୁକ୍ଷବେଶ

ଦେଖି ଜନ୍ମେ ଦୁଃଖ

ମାନସେ ବିଶେଷ ।

କ୍ରମେ କୃଶ ହୁଏ

ପୃଥୁଳ ଶରୀର,

ଦିଶେ ପାଣ୍ଡୁରିତ

ତୋର ବେନି ତୀର ।

ପୂର୍ବେ ଥିଲା ସେହୁ

କମଳା-ଉଦ୍ୟାନ,

ଏ କାଳରେ ହେଲା

ଭୀଷଣ ଶ୍ମଶାନ ।

ଏ ରୂପେ ନିୟତି

ସଭିଙ୍କ କପାଳେ

ଆଣେ ସୁଖ ଦୁଃଖ

ଭୋଗ ଯଥାକାଳେ ।

ବସନ୍ତେ ତୋହର

ତୀର ବୃକ୍ଷରାଜି,

ମଳୟ ମାରୁତେ

ହୋଇ ଦେହ ମାଜି,

ପ୍ରକାଶନ୍ତି ସର୍ବେ

ଅପୂର୍ବ ମାଧୁରୀ ।

ଫଳେ, କିଶଳୟେ,

କୁସୁମେ ପ୍ରପୂରି ।

କାହିଁ ହିଙ୍ଗୁଳିତ

କିଂଶୁକ ସୁମନେ,

ଫଗୁ ଖେଳନ୍ତି କି

ଦିଗଙ୍ଗନାଗଣେ ।

ସ୍ତରେ ସ୍ତରେ କାହିଁ

ଫୁଟିଣ ଅଶୋକ,

ହରେ ମଧୁଲୁବ୍‌ଧ

ମଧୁପର ଶୋକ ।

ପତ୍ର ଛୁରିଧାରୀ

କାହିଁ ଛୁରିଅନା

ମଧୁଚୋର ଭୃଙ୍ଗେ

କରଇ ତର୍ଜ୍ଜନା ।

କାହିଁ ବା ବସନ୍ତ–

ବାନ୍ଧବୀ ମାଧବୀ

ଗନ୍ଧେ ମହକାଏ

ତୋ ତୀର ଅଟବୀ ।

କାହିଁ ଅବା ଫୁଟି

ସୂରଙ୍ଗ ଶାଳ୍ମଳୀ

ରୂପେ ଉଜ୍ଜ୍ୱଳାଏ

ତୀରବନସ୍ଥଳୀ ।

ବହୁ ପକ୍ଷୀ ତହୁଁ

କରି ମଧୁପାନ

ଆନନ୍ଦ ସଙ୍ଗୀତ

କରୁଥାନ୍ତି ଗାନ ।

ଉଚ୍ଚାଟେ ବୋବାଏ

ଭଦଭଦଳିଆ,

କାହିଁକି କେଜାଣି

ହୁଏ ସେ ଛାନିଆ ।

ବାରମ୍ବାର ଉଡ଼ି

ବସେ ବାରମ୍ବାର

ପକ୍ଷ ଚିତ୍ରପଟ

କରିଣ ବିସ୍ତାର ।

ନିଦାଘେ ଭାସ୍କର

ପ୍ରଖର କିରଣ,

ତୋ ଜୀବନ କ୍ଷୟ

କରେ ଅନୁକ୍ଷଣ ।

ସେ କାଳେ ତୋ ଅଙ୍କ

ଦିଶେ ଶୂନ୍ୟାୟିତ,

ବାଲିପଦା ପ୍ରାୟ

ହୁଏ ଅନୁମିତ ।

ମଧ୍ୟାହ୍ନେ ସେ ବାଲି

ତାତେ ଅତିଶୟ,

ଦିଶେ ଭୟଙ୍କର

ମୃଗତୃଷ୍ଣାମୟ ।

ତପ୍ତ ଘୂର୍ଣ୍ଣିବାୟୁ

ବୁଲେ ତହିଁ ଘୂରି

ସୃଜି ଠାବେ ଠାବେ ।

ବାଲୁକାଭଉଁରୀ

ସେ ଭୀଷଣୋବର୍ତ୍ତେ

ତପ୍ତ ବାଲି ଉଡ଼ି

ଆଚ୍ଛାଦେ ତୋ ଅଙ୍କ

ଯେସନ କୁହୁଡ଼ି ।

କିମ୍ବା ବୋଳିହେଉ

ସର୍ବାଙ୍ଗେ ବିଭୂତି,

ଗ୍ରୀଷ୍ମେ ଧରୁ ଯେଣୁ

ଦିଗମ୍ବର ମୂର୍ତ୍ତି ।

ସାଳନ୍ଦି, ତୋହର

ନିଦାଘ ଦୁର୍ଗତି

କୀର୍ତ୍ତନେ ଅକ୍ଷମ

କବିର ଭାରତୀ ।

ନ ଥାଏ ତୋ ଅଙ୍ଗେ

କିଛି ଅଳଙ୍କାର,

ଦିଶୁ ତହୁଁ ବୃଦ୍ଧା

ବିଧବା ପ୍ରକାର ।

ତଟବର୍ତ୍ତୀ ଭୂମି

ପୁରି ଶୁଷ୍କ ଘାସେ

ଅଲକ୍ଷ୍ମୀ ଆବାସ

ପରାଏ ଆଭାସେ ।

ଶିଶିର-ବିଶୀର୍ଣ୍ଣା

ନାଗୁଣୀ ଯେସନ

ବସନ୍ତେ ପ୍ରବଳେ

କରଇ ଗମନ,

ପ୍ରାବୃଟେ ତେସନ

ହୋଇ ତୁ ପ୍ରବଳା

ଗତିବଳେ ଜିଣୁ

ସୁନ୍ଦରୀ ଚପଳା ।

କେତେ ସ୍ଥାନେ ନଦି !

ଅଛି ତୋର ଘାଟ,

ପ୍ରାବୃଟେ ସେ ସ୍ଥାନେ

ବସେ ସଦା ହାଟ ।

ସଂସାରର ଲୀଳା

ତହିଁ ନିତ୍ୟ ନିତ୍ୟ

ପ୍ରକାରାନ୍ତରରେ

ହୁଏ ଅଭିନୀତ ।

କେ ଆସେ ଏ ପାରି

କେ ଯାଏ ସେ ପାରି,

ପଣ ନେଲେ ନାବେ

ଚଢ଼ାଏ କାଣ୍ଡାରୀ ।

ଆସନ୍ତି ସେଠାକୁ

ଯେତେ ଶୂନ୍ୟହସ୍ତେ,

ନଦୀ ପାରି ନୋହି

ଫେରନ୍ତି ସମସ୍ତେ ।

ଏହିପରି ପ୍ରଭୁ

ସୁଦର୍ଶନଧାରୀ

କରୁଛନ୍ତି ଜୀବେ

ଭବ-ନଦୀ ପାରି ।

ଧର୍ମ ଏକ ତାଙ୍କ

ନିରୂପିତ ପଣ,

ସେ ପଣେ ହୁଅନ୍ତି

ପାରି ଜୀବଗଣ ।

ସେହି ମହାଧନ

ନଥାଏ ଯାଠାରେ,

ଫେରିଆସେ ସେହୁ

ଭବ-କାରାଗାରେ ।

ପୁଣ୍ୟମୟୀ ତୁହି

ସାଳନ୍ଦି, ସ୍ୱଭାବେ,

ଧରୁ ବକ୍ଷେ କେତେ

ତୀର୍ଥ ଠାବେ ଠାବେ ।

ସାଳନ୍ଦି ! ତୋ ତୀର

ଅମରାସଙ୍କାଶ

ତେଣୁ ଦେବତାଙ୍କ

ଅଟେ ପ୍ରିୟବାସ ।

ଅଣିଜାଖ୍ୟ ଗ୍ରାମେ

ସ୍ୱୟମ୍ଭୂ ଅଣିଜ,

ବସନ୍ତି ବିସ୍ତାରି

କରୁଣା – ବଣିଜ ।

ତ୍ରିପାଶୁ ସେ ଗ୍ରାମେ

ସାଳନ୍ଦି ତଟିନୀ,

ଆଲିଙ୍ଗିଛି ହୋଇ

ପ୍ରେମେ ଉନ୍ମାଦିନୀ ।

ଅଧିଷ୍ଠିତ ତହିଁ

ଶ୍ରୀ ସିନ୍ଧୁକେଶ୍ୱର,

ସ୍ୱୟମ୍ଭୂ ଦେବତା

ଯୋଗୀଶ୍ୱର ହର ।

ସିନ୍ଧୁକେଶ୍ୱରଙ୍କ

ମହିମା ପ୍ରଭାବେ,

ସର୍ପାଘାତ ଭୟ

ଅଜ୍ଞାତ ଏ ଠାବେ ।

ଶତ ଅଷ୍ଟଦଳ

କମଳ ଉପରେ,

ବିଜେ ମହାଶମ୍ଭୁ

ସ୍ୱୟମ୍ଭୂ ରୂପରେ ।

ଚିରକଉମାର

ପୁଣ୍ୟବ୍ରତଧାରୀ,

ବିଜ୍ଞ ରାମାନୁଜ

ସାଧୁ ବ୍ରହ୍ମଚାରୀ,

ଏ ସ୍ଥାନକୁ ହୋଇ

ବିଧାତୃ-ପ୍ରେରିତ,

ସ୍ଥାନୀୟ ମାହାତ୍ମ୍ୟ

କଲେ ବିବର୍ଦ୍ଧିତ ।

ଭିକ୍ଷାରେ ସଂଗ୍ରହ

କରି ଧନଧାନ,

ବହୁ ଶୁଭକାର୍ଯ୍ୟ

କଲେ ଅନୁଷ୍ଠାନ ।

ପଞ୍ଚସ୍ତରି ସସ୍ର

ମୁଦ୍ରା କରି ବ୍ୟୟ,

ନିର୍ମାଣିଲେ ତୁଙ୍ଗ

ଶିବ ଦେବାଳୟ ।

ସେବା ନିର୍ବାହାର୍ଥେ

ବହୁ ଭୂସମ୍ପତ୍ତି,

ମାଗି, କ୍ରୟ କରି

ଖଞ୍ଜି ଦେଲେ ଯତି ।

ସ୍ଥାପି ପାଠଶାଳା–

ସଂସ୍କୃତ, ଉତ୍କଳ,

କଲେ ଶିକ୍ଷାପଥ

ସୁଗମ୍ୟ ସରଳେ ।

ଲଭି ଦୀନ ଛାତ୍ରେ

ଅଶନ, ବସନ,

କରନ୍ତି ନିର୍ବିଘ୍ନେ

ବିଦ୍ୟା ଅଧ୍ୟୟନ ।

କରି ଦେବ-ସେବା

ଜନସେବା ଆଦି,

ସାର୍ଥକିଲେ ସ୍ୱୀୟ

ସନ୍ନ୍ୟାସୀ ଉପାଧି ।

ବିଶ୍ୱସେବାରେ ଯେ

ସତତ ପ୍ରୟାସୀ,

ସେହି ଧର୍ମଗୁରୁ,

ସେ ଏକା ସନ୍ନ୍ୟାସୀ ।

ମର୍ମରନିର୍ମିତ

ଶିବଙ୍କ ଶକତି,

ବଢ଼ୁଛନ୍ତି ଶିବ

କହେ କିମ୍ବଦନ୍ତୀ ।

ସେହି ମହାଲିଙ୍ଗ

ଶାଶ୍ୱତ ବିଗ୍ରହ

ବିଶ୍ୱ-ଇତିହାସ

କରନ୍ତି ସଂଗ୍ରହ ।

ତାଙ୍କ ବିଲ୍ୱପତ୍ର

ପାଦୋଦକ ପାଇ

ଭବ-ବନ୍ଧନରୁ

ଲଭେ ଭକ୍ତ ତ୍ରାହି ।

ଶିବରାତ୍ରି ଦିନ

ବସେ ତହିଁ ମେଳା,

ଲାଗେ ଭକ୍ତଙ୍କର

ଭକ୍ତି–ଲୀଳାଖେଳା ।

ମହିମ୍ନସ୍ତୋତ୍ର କେ

ପଢ଼େ ଶୁଦ୍ଧ ସ୍ୱରେ,

କେହି ଅବା ରୁଦ୍ର

-ଅଭିଷେକ କରେ ।

କେହି ଡାକି କହେ

ଯୋଡ଼ି ବେନି କର,

“ହର ମୋ ଦୁର୍ଗତି

ସ୍ମରହର ହର ।”

ଘୃତେ ନବନୀତେ

କେ କରେ ମାର୍ଜ୍ଜନ,

ଚାରୁ ଚମ୍ପାହାରେ

କରେ କେ ଭୂଷଣ ।

 

୧- ଶିବଙ୍କର ଦେବୋତ୍ତର ସମ୍ପତ୍ତି ୧୮ ଏକର ଥିଲା ।

ବାବାଜିଙ୍କ ଯତ୍ନରେ ବର୍ତ୍ତମାନ ୨୦ ମାଣ ହୋଇଅଛି ।

୨- ଶିବଙ୍କର ବିଶାଳ ଶକ୍ତି ଶଙ୍ଖମର୍ମର ପ୍ରସ୍ତର ନିର୍ମିତ ।

ତହିଁର ଓଜନ ୨୭ ମହଣ । ଶିବଙ୍କର ପରିଧି ୬ ହାତ ୨ଅଙ୍ଗୁଳି ।

 

ସିଂହାର ବେଶ କେ

ରଚେ ବିଲ୍ୱପତ୍ରେ,

କେହି ବା ଛାମୁରେ

ଭେଟେ ପୁଷ୍ପଛତ୍ରେ ।

ଗୈରିକ ବସନ–

ପରିହିତ ଯୋଗୀ

ଖଟନ୍ତି ସେବାରେ

ମାନସ ନିଯୋଗି,

ବମ୍ ବମ୍ ଶଦ୍ଦେ

ଘୋଷେ ଶିଙ୍ଗାରାଜି,

ଶମ୍ଭୁ ଶମ୍ଭୁ ରବେ

କମ୍ୱୁ ଉଠେ ବାଜି ।

ଡିବି ଡିବି ସ୍ୱରେ

ବାଜଇ ଡମ୍ୱରୁ,

ଜୟ ଶଦ୍ଦ ଉଠେ

ଭକତ – କଣ୍ଠରୁ ।

ଜାଗର ରାତ୍ରିରେ

ରହି ଉଜାଗର

ଜପୁଥାନ୍ତି ଶିବ –

ତାରକ ମନ୍ତର ।

ଉଠେ ମହାଦୀପ

ମହାନିଶାକାଳେ,

ଭକ୍ତ–କଣ୍ଠ–ବାଦ୍ୟ

ବାଜେ ତାଳେ ତାଳେ ।

ବରାଭୟଦାତା

ଅଟନ୍ତି ସେ ହର

ମହିମା ତାଙ୍କର

ଲୋକେ ଅଗୋଚର ।

ନବ ଦିନଯାଏ

ବିପଣି–ବୀଥିକା

ବସେ ତହିଁ,

ଲାଗେ ସଦା କିଣାବିକା ।

ବିଖ୍ୟାତ ସେ ମେଳା

ବହୁଦ୍ରବ୍ୟ ଖଣି,

ମେଳା ନୁହେଁ ତାହା

ମହାପ୍ରଦର୍ଶନୀ ।

ବହୁ ଯାତ୍ରୀଙ୍କର

ହୁଏ ସମାଗମ,

ଆସେ ନାନା ଦ୍ରବ୍ୟ

ଉତ୍ତମ ମଧ୍ୟମ ।

ବିକ୍ରୟାର୍ଥେ ତହିଁ

ହୋଇଣ ଆନୀତ,

କୃଷି ଶିଳ୍ପଦ୍ରବ୍ୟ

ହୁଏ ପ୍ରଦର୍ଶିତ ।

ସ୍ୱଦେଶୀ ପଦାର୍ଥ

ଶୋଭା ଅନୁପମ,

ହୋଇଥାଏ ତହିଁ

କେତେ କୁଟିକମ ।

ଦୃଢ଼ତା ସୌନ୍ଦର୍ଯ୍ୟ

ଏକାଧାରେ ବହି

ପ୍ରତିଯୋଗେ ଆନେ

ଦିଏ ପରାଜୟି ।

ସାଧଇ ଏ ମେଳା

ମଙ୍ଗଳ ବିଶେଷ

ନୀରବେ ପ୍ରଦାନି

ବହୁ ଉପଦେଶ ।

ଅତୀତ ଗୌରବ

କରାଏ ସ୍ମରଣ

ଶିଳ୍ପକଳା ପ୍ରତି

ଦୃଢ଼େ ଟାଣି ମନ ।

ଥିଲେ ଶିଳ୍ପଗୁରୁ

ପୂର୍ବ ଉତ୍କଳୀୟେ,

ଉତ୍କଳ ହିଁ ଆଜି

ତାର ସାକ୍ଷ୍ୟ ଦିଏ ।

ଏବେ ଉତ୍କଳର

ନାହିଁ ସେ ଗୌରବ,

ହୀନ ଶିଳ୍ପକଳା

ହୀନ ସେ ବିଭବ ।

କର୍ପୂର ସୁବାସ

ଯାଇଅଛି ଚାଲି,

ପଡ଼ିଅଛି ମାତ୍ର

କନା ଖଣ୍ଡେ ଖାଲି ।

ସେ କଳାବିଦ୍ୟାର

ଘଟି ଅବନତି

ଘୋଟିଲା ଉତ୍କଳେ

ଦୁର୍ଭାର ଦୁର୍ଗତି ।

ବେଳେ ଖାଇ ବେଳେ

ଯାଏ ଉପବାସେ,

ତଥାପି ଏ ଦେଶ

ରହିଛି ଉଦାସେ ।

ଆତ୍ମଭୂତି ତାର

ଆତ୍ମନିର୍ଭରତା,

ବହୁକାଳୁଁ ସେହୁ

ଭୁଲିଛି ଏ କଥା ।

ଶୋଇଅଛି ହୋଇ

ମୋହେ ଅଚେତନ,

ନୁହେଁ ଏ କଦାଚ

ମଙ୍ଗଳ ଲକ୍ଷଣ ।

କୃଷିର ଦୂର୍ଦ୍ଦଶା

ଘଟି ଏହିପରି

ଦେଲା ଦେଶଭାଗ୍ୟ

ନାରଖାର କରି ।

ଏ କାଳର ନବ୍ୟ

ସୁସଭ୍ୟ ଶିକ୍ଷିତ

କୃଷକ ହେବାକୁ

ହୁଅନ୍ତି ଲଜ୍ଜିତ ।

କୃଷିକାର୍ଯ୍ୟେ କରି

ଘୃଣା ପ୍ରଦର୍ଶନ

ଆଣନ୍ତି ଦୁଃଖକୁ

କରି ଆମନ୍ତ୍ରଣ ।

ମାତ୍ର କୃଷିବିଦ୍ୟା

ନୁହେଁ ହୀନ କେବେ,

ଆଦିବିଦ୍ୟା ତାହା

ସୃଜିଛନ୍ତି ଦେବେ ।

ମହାହିତୈଷିଣୀ

କୃଷିବିଦ୍ୟା ପରେ

ମାନବ ଜୀବନ

ଏକାନ୍ତ ନିର୍ଭରେ ।

ତାହା ଯୋଗୁଁ ଦେହ

ହୁଏ ହୃଷ୍ଟପୁଷ୍ଟ,

ସେ ଯେବେ ନିକୃଷ୍ଟ

କେ ତେବେ ଉତ୍କୃଷ୍ଟ ?

ଏ ନୀତି ବଚନ

ନୁହଇ ଅନ୍ୟଥା,

ଆଗେ ପ୍ରାଣରକ୍ଷା

ପଛେ ସବୁ କଥା ।

ସୀତାକୁଣ୍ଡ ତୋର

ତୀର୍ଥ ସନାତନ,

ଅମରବାଞ୍ଛିତ

ପରମ ପାବନ ।

ବିଶାଳ ଗଭୀର

ଶିଳାକୁଣ୍ଡେ ଯହିଁ

ନିବସନ୍ତି ସୀତା –

ଦେବୀ ମୁଦ ବହି ।

ଝର୍ଝର ଶବଦେ

ସଦା ତୁ ସେ କୁଣ୍ଡେ

ଢାଳୁ ପୂତ ବାରି

ସେ ଦେବୀଙ୍କ ମୁଣ୍ଡେ ।

୩-ଫୁଲଛତା ।

 

ବିଷମ ଅଗମ୍ୟ

ତହିଁ ତୋର ତଳ,

ବିଶାଳ ପଙ୍କିଳ

ପାଷାଣେ ପିଚ୍ଛଳ ।

ବର୍ଷାକାଳେ ତହିଁ

ଧରୁ ଲୋ ତଟିନି !

ଉଗ୍ରଚଣ୍ଡା ମୂର୍ତ୍ତି

ଅତି ଉନ୍ମାଦିନୀ ।

ଚକ୍ରାବର୍ତ୍ତେ ଖରେ

ଘୂରି ବୁଲେ ଜଳ

କଳ କଳ ନାଦେ

ଗର୍ଜ୍ଜି ଅନର୍ଗଳ ।

ସ୍ତମ୍ଭାକାର କାହିଁ

ଫୁଲି ସବେଗରେ

କ୍ଷଣେ କ୍ଷଣେ ଭାଙ୍ଗିପଡ଼େ

ସ୍ତରେ ସ୍ତରେ ।

ହେରି ସେ ତାଣ୍ଡବେ

ନୌକାଜୀବିଗଣ

କରନ୍ତି ଜୀବନ

ଆଶା ବିସର୍ଜ୍ଜନ ।

“ଜୟ ମା ସାଳନ୍ଦି”

ବୋଲି ଡାକି ତ୍ରାହି

ଭୟେ ଭୟେ ନାବ

ନେଉଥାନ୍ତି ବାହି ।

ମାଘ ମାସ ଶୁକ୍ଳ

ଏକାଦଶୀ ତିଥେ

ପଡ଼େ ସ୍ନାନଯୋଗ

ସେ ପବିତ୍ର ତୀର୍ଥେ ।

ଦୂର ଦୂରାନ୍ତରୁ

ଆସି ଯାତ୍ରିଦଳ

ଲଭନ୍ତି ସେ ତୀର୍ଥେ

ସ୍ନାନି ପୁଣ୍ୟ ଫଳ ।

ବସେ ତହିଁ ମେଳା

ସ୍ନାନ ଉପଲକ୍ଷେ,

ଶୋଭଇ ବିପଣୀ

ନଦୀତୀରେ,ବକ୍ଷେ ।

ନିବସନ୍ତି ତହିଁ

ପ୍ରଭୁ ଦିଗମ୍ୱର,

ଅତୁଳପ୍ରତାପୀ

ଶ୍ରୀ କୁମାରେଶ୍ୱର ।

ସୀତାକୁଣ୍ଡ-ପୂତ-

ଜଳେ ଅଭିଷେକ-

ହେତୁ ବଢ଼ିଅଛି

ମହିମାର ଟେକ ।

ସ୍ନାନାନ୍ତେ ଯାତ୍ରୀଏ

ଉଠି ନଦୀତୀରେ

କରନ୍ତି ଦର୍ଶନ

ତାହାଙ୍କୁ ଭକ୍ତିରେ ।

ବମ୍ ବମ୍ ଶଦ୍ଦ

ଭକ୍ତକଣ୍ଠୋତ୍ଥିତ

ତାଙ୍କ ଆୟତନେ

କରେ ମୁଖରିତ ।

ଅଦୂରେ ବିରାଜେ

ବୀରେନ୍ଦ୍ର-ମଉଳି-

ଭୀମସେନକୃତ

ସୁବିଶାଳ ଚୁଲି ।

ତିନି ଗିରି ପ୍ରାୟେ

ଦିଶେ ତିନି ଝଙ୍କା,

ଉଭା କି ଏକତ୍ରେ

ତିନି ବିଭୀଷିକା ।

ସ୍ରୋତମୁଖେ ରହି

ସେହି ସ୍ତମ୍ଭମାନ

କଳୁଛନ୍ତି ନଦୀ

ଜଳ ପରିମାଣ ।

ବନ୍ୟାକାଳେ ତାହା

ଦିଶଇ ଏମନ୍ତ,

ମନ୍ଥୁଛି କି ସିନ୍ଧୁ

ମନ୍ଦର ପର୍ବତ ।

ଅବା ଇନ୍ଦ୍ର-ଭୀତ

ମୈନାକ ଅଚଳ

ଟେକିଛି ମସ୍ତକ

ଭେଦି ସିନ୍ଧୁଜଳ ।

ଉତ୍ତରେ ବସନ୍ତି

ବାଙ୍କେଶ୍ୱର ହର,୧

ବକ୍ରଭାବେ ସ୍ଥିତ

ମୂର୍ତ୍ତି ତାହାଙ୍କର ।

ଶକ୍ତିରୁ ତାଙ୍କର

ବରଷାସୂଚକ

ସତ୍ୱରେ ଝରଇ

ଅକାଳେ ଉଦକ ।

ଅଦୂରେ ତାହାର

ରାଜେ ଗୁଡ଼ିପଦା,

ନିପତିତ ଯହିଁ

ଭୀମ-ଭୀମଗଦା ।

ତେମୁହାଣୀ ନାମେ

ଆନ ଏକ ତୀର୍ଥ,

ସାଳନ୍ଦି, ତୋ ଗର୍ଭେ

ଅଛି ଲୋ ବିଦିତ ।

ପୂର୍ଣ୍ଣଗର୍ଭା ହୋଇ

ଆସୁ ଆସୁ ବହି

ବଗା ନାମେ କନ୍ୟା

ପ୍ରସବିଲୁ ତହିଁ ।

ପୂର୍ବ ଦିଗେ ତହୁଁ

ପେଷିଣ ତାହାକୁ

ଧରିଲୁ ତୁ ଖରେ

ଉତ୍ତର ରାହାକୁ ।

ଗାୟତ୍ରି ଛନ୍ଦରେ

ବହିଯାଉ ତହିଁ,

ଘଟେ ଦିଗଭ୍ରମ

ପଥିକର ଯହିଁ ।

ଯାମ୍ୟେ ଅସ୍ତରବି

ଉତ୍ତରୁ ଉଦିତ-

ହେଲା ପ୍ରାୟ ତହିଁ

ହୁଅଇ ପ୍ରତୀତ ।

ସେ ପବିତ୍ର ତୀର୍ଥେ

ବାରୁଣୀ ଯୋଗରେ

ଲଭନ୍ତି ସଦ୍ଗତି

ସ୍ନାନ କରି ନରେ ।

ଘନ ତଣ୍ଡୀବନେ

ତହିଁ ଲୋ ତଟିନି !

ଚଳୁ ସଙ୍କୁଚିତେ

କଳନିନାଦିନୀ ।

ଭାବେ କବି ନବ–

ପ୍ରସୂତି ହେତୁ କି

ଲଜ୍ଜାଭରେ ଚଳୁ

ହୋଇ ଢାଙ୍କି ଢୁଙ୍କି ।

ବେନି କୂଳବର୍ତ୍ତୀ

ତରୁକୁଳେ ତହିଁ

ତୋ ପବିତ୍ର ବକ୍ଷେ

ପଡ଼ିଛନ୍ତି ନଇଁ ।

 

୧-ସ୍ୱନାମପ୍ରସିଦ୍ଧ ଶିବଲିଙ୍ଗ । ବର୍ଷାର ସୂଚନା ହେଲେ ଏହାଙ୍କ ଶକ୍ତି ଜଳପୂର୍ଣ୍ଣ ହୋଇଯାଏ ।

୨- ଏହି ଟଙ୍କିଳ ପ୍ରାନ୍ତରରେ ଭୀମସେନଙ୍କର ବିଶାଳ ପ୍ରସ୍ତର ଗଦା ପତିତ ଅଛି ।

 

କରୁଛନ୍ତି କି ସେ

ତୋତେ ଦଣ୍ଡବତ,

ଯେଣୁ ସର୍ବେ ତୋର

ପାଳିତ ଭକତ ।

ନିଦାଘ ମଧ୍ୟାହ୍ନେ

ରଖୁଆଳ ବାଳେ

ଦୋଳି ଖେଳନ୍ତି

ସେ ଭୂମିଲମ୍ବୀ ଡାଳେ ।

ଗାଆନ୍ତି ଉଚ୍ଚରେ

ଗ୍ରାମ୍ୟ ଲୀଳାଗୀତ,

କେବେ କୁହାଟନ୍ତି

ହୋଇ ହୃଷ୍ଟଚିତ୍ତ ।

ଖଣ୍ଡେ ଦୂର ଯାଇ

ଦୁର୍ଗାପୁରଠାରେ,

ହେଲୁ ତୁ ସାଳନ୍ଦି,

ବିଭକ୍ତ ଦ୍ୱିଧାରେ ।

ଅବାଧ୍ୟ ବାଳିକା

ପରାୟେ “ନାଳିଆ”

କୋଳୁ ଖୁସି ବୁଲି

ହୋଇଣ ହାଲିଆ,

ଫେରିଆସି ମାତୃ-

ସ୍ନେହ ସ୍ମୃତି ଭୋଳେ,

ମିଶିଅଛି ପୁଣି

ତୋ ଶୀତଳ କୋଳେ ।

ମିଶ୍ରିତ ସ୍ଥାନର

ତୀରବର୍ତ୍ତୀ ଗ୍ରାମ,

ତଳଗୋପବିନ୍ଧା

ବହିଅଛି ନାମ ।

ହେଲୁ ତିନିଧାର

ବାରୋ ଗ୍ରାମ ବାମେ,

ସାଳନ୍ଦି, ବାଲୁଙ୍ଗା,

ହୀରାଘାଈ ନାମେ ।

ଗେଙ୍ଗୁଟୀ, କପାଳୀ,

ରେବ ନଦୀତ୍ରୟ,

ମିଶାଇଅଛନ୍ତି

“ଦପା” ଠାରେ ପୟ ।

ସେହିଠାରୁ ନାମ

ବହିଛି ଗେଙ୍ଗୁଟୀ,

ଗେଙ୍ଗୁଟୀରେ ଯହିଁ

ଯାଏ ପାଦ ଫୁଟି ।

ମିଶିଅଛି ଯାଇ

ଧାଇଁ ଖରେ ଧୀରେ

ପୂର୍ବ ବିବର୍ଣ୍ଣିତ

ବାଲୁଙ୍ଗା ନଦୀରେ ।

ମିଶ୍ରଣ ସ୍ଥଳରେ

ବସନ୍ତି “ନାୟିକା”

ଭକ୍ତିରେ ନାବିକେ

ତାଙ୍କ ପଦେ ବିକା ।

ନଡ଼ିଆ ପଇସା

ମାନସିକ କରି

ନିରାପଦେ ବାହି

ନିଅନ୍ତି ସେ ତରୀ ।

ନାୟିକା ନାୟକ—

ବଂଶ ଅଧିଷ୍ଠାତ୍ରୀ,୧

ପ୍ରତାପୀ ଦେବତା

ବରାଭୟଦାତ୍ରୀ ।

ଚାରୁ କାରୁ କମ–

ମଣ୍ଡିତ, ରୁଚିର,

କାଷ୍ଠଶିଳ୍ପେ ଦୀପ୍ତ

ତାହାଙ୍କ ମନ୍ଦିର ।

ଧରିଛି ସେ ଶିଳ୍ପ

ଲଭି ରୂପପ୍ରାଣ,

ଉତ୍କଳ-ଶଳ୍ପୀର

ଗୌରବ ନିଶାଣ ।୨

କାଠମଣ୍ଡା ଦ୍ୱିଜ

ଦେବୀଙ୍କ ପୂଜାରୀ,

ଦୂରୁ ଆସି, ଯାଏ

ଫେରି ପୂଜା ସାରି ।

ବନ୍ୟା ସମୟରେ

ଦେବୀଙ୍କ କୁମ୍ଭୀର

ସୁଶୀଳ ବାହନ

ହୁଏ ପୂଜାରୀର ।୩।

ଏ ଅଦ୍ଭୁତ କଥା

ପ୍ରଚାରେ ପ୍ରବାଦ,

ସୂଚାଏ ଦେବୀଙ୍କ

ମହିମା ଅଗାଧ ।

ଘରଗ୍ରାମଶୂନ୍ୟ

ସେ ବିସ୍ତୃତ ସ୍ଥାନ,

ବର୍ଷାକାଳେ ଦିଶେ

ସମୁଦ୍ର ସମାନ ।

ଘୋଟିରହେ ଜଳ

ବହୁଦୂର ଯାଏଁ,

ଦେବୀଙ୍କ ମନ୍ଦିର

ଦିଶେ ପୋତ ପ୍ରାୟେ ।

ଅଷ୍ଟମାତୃକାର

ଅନ୍ୟତମ ଦେବୀ,

ଲଭନ୍ତି ବାଞ୍ଛିତ

ଜନେ ତାଙ୍କୁ ସେବି ।

ନାୟକ ବଂଶର

ଦତ୍ତ ଭୂସମ୍ପତ୍ତି,

କରିଛି ଦେବୀଙ୍କୁ

ବହୁ ବିତ୍ତବତୀ ।

ନାହାକାଣୀ ପାଟ୍ନା

ମୌଜା ଆଖ୍ୟାଧାରୀ,

ଅଛି ଦେବୀଙ୍କର

ଖଣ୍ଡେ ଜମିଦାରୀ ।

ନିମ୍ନକୁ ଗେଙ୍ଗୁଟୀ

କୁମ୍ଭୀର ଭୀଷଣ,

ସନ୍ତରନ୍ତି ବକ୍ଷେ

ଶମନ- ବାହନ,

ଚାହିଁ ଅପଲକେ

ବିକଟ ଚାହାଣି,

ତୀର ଚାରୀ ଧୈର୍ଯ୍ୟ

ଦେଉଥାନ୍ତି ହାଣି ।

ରୁକ୍ଷ ପାଣ୍ଡୁରିତ

ତାହାଙ୍କର କାନ୍ତି,

ଉପୁଜାଏ ଜଳେ

ଗଣ୍ଡଶୈଳ ଭ୍ରାନ୍ତି ।

ନ ଦେଲେ ଦେବୀଙ୍କୁ

ନୈବେଦ୍ୟ ସମ୍ଭାର,

ଏ ବେନି ସଙ୍କଟୁ

ନ ମିଳେ ନିସ୍ତାର ।

 

୧- କାଶିମପୁରର ପ୍ରସିଦ୍ଧ ନାୟକ ବଂଶ ।

୨- ଏଭଳି ସୂଚୀସୂକ୍ଷ୍ମ ସୁନ୍ଦର କାଷ୍ଠଶିଳ୍ପ ଅନ୍ୟତ୍ର ଦୁର୍ଲଭ ।

୩- ପ୍ରବଳ ବନ୍ୟା ସମୟରେ ଦେବୀଙ୍କର କୁମ୍ଭୀର ଯାଇ ପୂଜକକୁ ଘେନିଆସେ ଏବଂ ପୂଜା ଶେଷରେ ନେଇ ପୁଣି ଚାଡ଼ିଆସେ । ଏହିପରି ସ୍ଥାନୀୟ ଜନବାଦ ଅଛି । ୪- ନାହାକାଣୀ ପାଟଣାରୁ ପ୍ରତ୍ୟହ ଦେବୀଙ୍କର ଭୋଗ ସାମଗ୍ରୀ ଆସେ । ଚୁଡା ଗୁଡ, ଛେନା, ନଡ଼ିଆ ପ୍ରଧାନ ନୈବେଦ୍ୟ ।

 

ବିଜନ ଭୀଷଣ

ପାଟ ଚାରିଆଡ଼େ,

ପୂର୍ଣ୍ଣ ବେଣାବନ

ମହିଷ ଖୁଆଡ଼େ ।

  ଦୃଷ୍ଟିରେଖା ତାର

ସୀମା ସ୍ପର୍ଶ କରି

 ନ ପାରିଣଶେଷେ

ଆସେ ଅପସରି ।

ଜନପ୍ରାଣିଶୂନ୍ୟ

ଦେଖି ମାଡ଼େ ତ୍ରାସ,

ପ୍ରକୃତିର ଗୁପ୍ତ

ବିଶ୍ରାମ ଆବାସ ।

ସେ ମହାବିଜନେ

ଶଙ୍କର-ସୁନ୍ଦରୀ

ନିବସନ୍ତି ଦିଗ

ଆଲୋକିତ କରି ।

ବାତ୍ୟାକବଳରେ

ନାବକ ଯେ କାଳେ

ପଡ଼ି ସିନ୍ଧୁଗର୍ଭେ

ଭୟ ଅସମ୍ଭାଳେ,

ଡାକେ ମନଃପ୍ରାଣ

ସମର୍ପି ପୟରେ

“ରଖ ମା ନାୟିକା

ଚରଣକିଙ୍କରେ ।”

  ତେତେବେଳେ ଦେବୀ

ଅଭୟ ବାହାକୁ

ଟେକି ସେ ସଙ୍କଟୁଁ

ରଖନ୍ତି ତାହାକୁ ।

ଏ ହେତୁ ସର୍ବଥା

ନାବିକପୂଜିତା,

ଅର୍ପନ୍ତି ନାବିକେ

ତାଙ୍କୁ ସ୍ୱର୍ଣ୍ଣଚିତା ।

ଆନ ତୀର୍ଥ ତୋର

ପ୍ରୟାଗ ଉପମ,

ପୂତ ବୈତରଣୀ-

ତଟିନୀ ସଙ୍ଗମ ।

ଅଧିଷ୍ଠିତ ଯହିଁ

ଯୋଗେଶ୍ୱର ହର,

ଆରଡ଼ୀ ଗ୍ରାମରେ

ଆରଡ଼ୀ-ଈଶ୍ୱର ।

ଯାହାଙ୍କ ମହିମା

କଳ୍ପନା-ଅତୀତ,

ଦିଗଦିଗନ୍ତରେ

ହୁଏ ବିଘୋଷିତ ।

ସଦ୍ୟଫଳଦାତା

ପରମ କୃପାଳୁ,

ଢାଳୁଛନ୍ତି କୃପା

ଅକଳିତ କାଳୁଁ ।

ରୋଗମୃକ୍ତି ଆଶେ

ଆସି ରୋଗୀମାନେ

ଧାରଣା ପଡ଼ନ୍ତି

ତାଙ୍କ ପୀଠସ୍ଥାନେ ।

ନିତ୍ୟ କେତେ ରୋଗୀ

ହୋଇ ନିରାମୟ

ଉଚ୍ଚାରନ୍ତି ତାଙ୍କ

ନାମେ ଜୟ ଜୟ ।

ତହିଁ ତୁ ସାଳନ୍ଦି,

ବୈତରଣୀ ସଙ୍ଗେ

ମିଶାଇ ତରଙ୍ଗ

ଖେଳୁ ନାନା ରଙ୍ଗେ ।

ସ୍ରୋତ ପ୍ରତିଘାତେ

ଫେରି ଆସି ପାଣି

ତରଙ୍ଗ ଆକାରେ

ବହଇ ଉଜାଣି ।

ପୁଣି ବକ୍ରଭାବେ

ଆସି ଖରେ ଘୂରି,

ସୃଜେ ଭୟଙ୍କର

ବିଶାଳ ଭଉଁରୀ ।

ଅଧ ଊର୍ଦ୍ଧ୍ୱ ହୋଇ

ଜଳଚକ୍ର ତହିଁ

ଭାଗ୍ୟଚକ୍ର ପ୍ରାୟ

ନିୟତ ଘୂରଇ ।

ଧବଳ ତରଙ୍ଗ-

କର ପ୍ରସାରଣେ

ରତ ବେନି ନଦୀ

ପ୍ରେମ ଆଲିଙ୍ଗନେ ।

ପ୍ରାଣେ ପ୍ରାଣେ ମିଶି

ଭେଦ ପରିହରି

ଚଳିଲ ପ୍ରବଳେ

ଏକ ଆତ୍ମା ଧରି ।

ସଂହତିର ବଳ

ଅଟେ ମହୀୟାନ,

ଦେଖାଇଲ ତୁମ୍ଭେ

ସେଥିର ପ୍ରମାଣ ।

ବେନି ସଖୀଙ୍କର

ସେ ଶୁଭ ମିଳନ-

ସ୍ଥାନ ହୋଇଅଛି

ତୀର୍ଥ ଚିରନ୍ତନ ।

ସେ ମହାତୀର୍ଥରେ

ନରେ କରି ସାନ

ଲଭନ୍ତି ଅଗାଧ

ପାପୁ ପରିତ୍ରାଣ ।

ବିରାଜେ ତୋ ତୀରେ

କେତେ ମଠ ଗାଦି,

କେତେ ମହାତ୍ମାଙ୍କ

ପବିତ୍ର ସମାଧି ।

ସାଧୁ ସତ୍‌ପୁରୁଷ

କ୍ଷମାଦୟାବନ୍ତ

ପ୍ରସିଦ୍ଧ ଅସ୍ତଳ

ମଠର ମହନ୍ତ ।

ବୈଷ୍ଣବପ୍ରବର

ଶ୍ରୀ କ୍ଷମାସାଗର

ଥିଲେ ତୋହ ତୀରେ

ଯୋଗରେ ତତ୍ପର ।

ସୁକଠୋର ଯୋଗ

ବହୁକାଳ ସାଧି

ଘେନିଲେ ମହାତ୍ମା

ଜୀବନ୍ତ ସମାଧି ।

ତେର ଯାତ୍ରା ବାର

ପୂର୍ଣ୍ଣିମା ପାଳିତ

ହେଉଥିଲା ତାଙ୍କ

ମଠେ ଯଥୋଚିତ ।

ବହୁ ସାଧୁସନ୍ଥ

ଦୀନଦୁଃଖୀ ଜନେ

ହେଉଥିଲେ ତୃପ୍ତ

ପ୍ରସାଦ ଭୋଜନେ ।

ଆଗନ୍ତୁକ ପାଇଁ

ଅବାରିତ ଦ୍ୱାର,

ବଣ୍ଟା ହେଉଥିଲା

ସୁଖାଦ୍ୟସମ୍ଭାର ।

କାଳଗର୍ଭେ ଏବେ

ଲୁପ୍ତ ସେ ସୁରୀତି,

ଅତି କଷ୍ଟେ ଚଳେ

ଦେବତାଙ୍କ ନୀତି !

ନାହିଁ ସେ ଗୌରବ

ନାହିଁ ଅନ୍ନଦାନ,

ଦେବ ଆୟତନ

ହୋଇଛି ଶ୍ମଶାନ ।

କେବଳ ଦେଉଳେ

ଊର୍ଦ୍ଧ୍ୱେ ତୋଳି ମଥା

ଘୋଷନ୍ତି ନୀରବେ

ଭବନଶ୍ୱରତା ।

ଉତ୍ତର ମୁଖରେ

ବାଙ୍କ ଭାଙ୍ଗି ଯାହିଁ,

କୁଳୁକୁଳୁ ସ୍ୱରେ

ଯାଉ ଖରେ ବହି,

ତହିଁ ପୁରାତନ

ଗ୍ରାମ ଅବସ୍ଥିତ,

କୁଳୁମୂଳୀ ନାମେ

ଲୋକେ ଅଭିହିତ ।

ନିବସନ୍ତି ତହିଁ

ଯୁଗଳ କିଶୋର,

ଛୁରିଅନା ଗନ୍ଧେ

ବସନ୍ତେ ବିଭୋର ।

ଏଠାରେ ସାଳନ୍ଦୀ

ଉତ୍ତରବାହିନୀ,

ବିଦୂଳ-ଜଟିଳା

ଯଥା ତପସ୍ୱିନୀ ।୧

ଅଥଳ ଗଭୀର

ଏଥି ଗଣ୍ଡଜଳ,

ତୀରସ୍ଥିତ ଗ୍ରାମ

ବୋଲାଏ ଅଥଳ ।୨

ଶ୍ରୀଚୈତନ୍ୟ ଦେବ

ମଣି ତୀର୍ଥସ୍ଥାନ

ତିନି ଦିନ ଏଥି

କରିଥିଲେ ସ୍ନାନ ।୩

ତୀରେ ଉଠି ଯହିଁ

କଲେ ସ୍ତବପାଠ,

ବୋଲାଏ ସେ ସ୍ଥାନ

ଠାକୁରାଣୀ ଘାଟ ।

“ବୁଢ଼ୀଯାଗୁଳାଈ”

“ହରଚଣ୍ଡୀ” ତହିଁ,

ନିବସନ୍ତି ବେନି

ଦେବୀ ମୁଦ ବହି ।

ଏଡ଼େ ପୁଣ୍ୟତୀର୍ଥ

ଏବେ କାଳବଶେ,

ଅପ୍ରସିଦ୍ଧ ହୋଇ

ରହିଛି ବିରସେ ।

ସୌଭାଗ୍ୟ ସମ୍ପଦ

ଯେହ୍ନେ ଗଛ ଛାଇ,

ଆଲୋକରେ ଥାଏ

ତମେ ରହେ ନାହିଁ ।

ବସନ୍ତି ତୋ ତୀରେ

ସୁପର୍ଣ୍ଣ ଆସନ

ସନ୍ଥ ଗ୍ରାମେ ପ୍ରଭୁ

ମଦନମୋହନ ।୪

ତାଙ୍କ ପୁଣ୍ୟପୀଠ

ମହାପାପହନ୍ତା,

ସୁରକ୍ଷିତ ଯହିଁ

ଶ୍ରୀ ଚୈତନ୍ୟ କନ୍ଥା ।

ପ୍ରଚାରି ବୈଷ୍ଣବ-

ଧର୍ମ ଶ୍ରୀ ଚୈତନ୍ୟ

କରିଯାଇଛନ୍ତି

ଜୀବନକୁ ଧନ୍ୟ ।

ପ୍ରତିବର୍ଷ ତାଙ୍କ

ସ୍ମୃତି ଉପଲକ୍ଷେ

ଧରେ ମହୋତ୍ସବ

ସେ ନଗରୀ ବକ୍ଷେ ।

ତହିଁ ତୋ ପୁଳିନେ

ସାଳନ୍ଦି ସୁନ୍ଦରି,

ମଦନମୋହନ

ଖେଳନ୍ତି ଚର୍ଚ୍ଚରୀ ।

ଚନ୍ଦ୍ରିକା-ଚର୍ଚ୍ଚିତ

ବାଲୁକାରାଶିରେ

ଗୋବିନ୍ଦ ମଦନ

ଖେଳନ୍ତି ଅବିରେ ।

ବହୁ ଦର୍ଶକର

ହୁଏ ସମାଗମ,

ଧରେ ତୋ ପୁଳିନ

ଶୋଭା ଅନୁପମ ।

ଫଗୁ- ହିଙ୍ଗୁଳିତ

ବିମାନ ସକଳ

ବିଧୁକର ସ୍ପର୍ଶେ

ଦିଶେ ଢଳ ଢଳ ।

ଚଉପାଶେ ଦୀପ

ଅପୂର୍ବ ସୁଷମା

ଉପୁଜାଏ ଚିତ୍ତେ

ଅଦ୍ଭୁତ ଉପମା ।

ବାଳସବିତାଙ୍କୁ

କିବା ତାରାଗଣ

ବସିଛନ୍ତି କରି

ଚୌପାଶୁଁ ବେଷ୍ଟନ ?

ଶୁକ୍ଳ ବାଲୁକାରେ

ମିଶି ଫଗୁକଣା

ମୁକୁତା ପ୍ରବାଳ

ପ୍ରାୟେ ଯାଏ ଜଣା ।

ଲାଗେ ଯେତେବେଳେ

ବାଣବୃକ୍ଷେ ନିଆଁ,

ଆହା ସେ ମାଧୁରୀ

କେଡ଼େ ବାହାରିଆ ।

ଅଗ୍ନିମୟ ବୃକ୍ଷେ

ଅଗ୍ନିମୟ ଫଳ

ଓହଳିଲା ପ୍ରାୟେ

ଦିଶେ ଅବିକଳ ।

କାହିଁ ଅବା ଫୁଟି

ସ୍ୱର୍ଣ୍ଣବର୍ଣ୍ଣ ଫୁଲ

ବିସ୍ତାରେ ଜାଜ୍ୱଲ୍ୟ

ସୁଷମା ଅତୁଳ ।

ଶୋଭା-ସ୍ୱର୍ଣ୍ଣ-ଝାଳ

ଝରିଲା ପରାଏ

ଅଗ୍ନିବିନ୍ଦୁ ତହୁଁ

ଝଡ଼ି ଶୋଭାପାଏ ।

ଅଶନି ଗର୍ଜନେ

ଫୁଟେ ବାଣରାଶି

ଉଗାରି ଅନଳ

ଚରାଚର ତ୍ରାସି ।

ସନ ସନ ସ୍ୱନେ

ହାବେଳି ପ୍ରଖରେ

ଉଠିଯାଇ ଊର୍ଦ୍ଧ୍ୱେ

ବିଜୁଳି ବେଗରେ,

ପ୍ରକାଶିଣ ଦୀପ୍ତି

କ୍ଷଣେମାତ୍ର ନଭେ

ପ୍ରାଣ-ଦୀପ ପ୍ରାୟେ

ନିର୍ବାପନ ଲଭେ ।

ଘୂରଇ ଘର୍ଘରେ

କାହିଁ ଚର୍ଖିବାଣ

ଝାଡ଼ି ଅଗ୍ନି ଯଥା

କର୍ମକାର ଶାଣ ।

ଏ ଶାଣେ ବା ଶାଣି

ମଦନମୋହନ

କରନ୍ତି ନିର୍ମଳ

ଭକ୍ତମ୍ଳାନ ମନ ।

ସୃଜେ କାହିଁ ଅବା

ଭୂଇଁଚମ୍ପାବାର

ସୁବର୍ଣ୍ଣ ଧାନ୍ୟର

ପ୍ରଶସ୍ତ କେଦାର ।

ଦେଖାଇବାପାଇଁ

ସେ ଦୃଶ୍ୟ ସାକ୍ଷାତେ

ଡାକେ ବୈଜୟନ୍ତୀ

ହାତ ଠାରି ପାନ୍ଥେ ।

ସଝାଲର ଛତା

ଆଢ଼େଣୀ ତରାସ

ପ୍ରଦୀପ-ପଞ୍ଜରୀ

ଶୋଭର ଆବାସ ।

ଦର୍ଶନେ ଦର୍ଶକ

ମନ ନିଏ ହରି

ଚିତ୍ତବନୋଦନ

ଇନ୍ଦ୍ରଜାଲ ପରି ।

କାହିଁ ଫୁଲଝଡ଼

ରହି ଏକାଧାରେ

ନନ୍ଦନକାନନ

ଶୋଭାକୁ ଧିକ୍କାରେ ।

ଅତୁଳ ସେ ଶୋଭା

ସିନା ମହୀତଳେ

ବର୍ଣ୍ଣି ନୁହେଁ ତାହା

ବଚନକୁ ବଳେ ।

ତୋ ଉତ୍ତର ତୀରେ

“ସଦାବ୍ରତ ମଠ,”

ସେ ମଠ ମହନ୍ତ

ଧାର୍ମିକ କର୍ମଠ ।

ମେଲି ବସିଛନ୍ତି

ସଦା ଅନ୍ନଛତ୍ର,

ପଡ଼େ ତହିଁ ସାଧୁ

ସନ୍ନ୍ୟାସୀଙ୍କ ପତ୍ର ।

ଯାମ୍ୟତୀର ଚାରୁ

ଶୋଭାର ନିଧାନ,

ଧୂସା ପହ୍ଳାଣଙ୍କ

ପବିତ୍ର ଆସ୍ଥାନ ।

ଏକ ପଇସାର

ଶିରିଣୀ କେବଳ,

ଦେଲେ ତାଙ୍କୁ ହୁଏ

ଉଦ୍ଦେଶ୍ୟ ସଫଳ ।

ବସନ୍ତି ତୋ ତୀରେ

ଭଦ୍ରଖେକରାଳୀ

ଚନ୍ଦ୍ରଚୂଡ଼ଜାୟା

ଦେବୀ ଭଦ୍ରକାଳୀ ।

ଧନ୍ୟ ସେ ସ୍ଥାନର

ଅପାର୍ଥିବ ଶକ୍ତି

ସ୍ପର୍ଶମାତ୍ରେ ତାହା

ସ୍ୱତଃ ଜନ୍ମେ ଭକ୍ତି ।

ନାରିକେଳକୁଞ୍ଜେ

ଦିଶେ ବିଚ୍ଛୁରିତ,

ସୁରଙ୍ଗ ମନ୍ଦାରେ

ସଦା ସିନ୍ଦୁରିତ ।

ମୃଣ୍ମୟ ମନ୍ଦିରେ

ଦିବ୍ୟ ସିଂହାସନେ

ବିରାଜନ୍ତି ଦେବୀ

ମୁଦ ବହି ମନେ ।

ଅସିତବରଣା

ଅସିତବସନା

ଅସିହସ୍ତେ ଉଭା

କରାଳରସନା ।

ଆରକ୍ତ ଚନ୍ଦନ-

ଚର୍ଚ୍ଚିତ ମନ୍ଦାର-

ହାର ତାଙ୍କ କଣ୍ଠେ

ଦିଶଇ ଉଦାର ।

ବାହାରିଣ ଦେହୁଁ

ଜ୍ୟୋତି ରେଖାଚୟ

ଆଲୋକିତ କରେ

ନିବାସ ନିଳୟ ।

ସଙ୍କଟୁଁ ଉଦ୍ଧାର

ପାଇବା ସକାଶେ,

ଅର୍ପନ୍ତି ମାନବେ

ବଳି ତାଙ୍କ ପାଶେ ।

ପରେ ମାରି ଆତ୍ମ-

ରକ୍ଷା କରିବାର

ଏ ଭୀଷଣ ନୀତି-

ପଦେ ନମସ୍କାର ।

ହଡିକାଠେ ଦିଶେ

ଭୀଷଣ ପ୍ରାଙ୍ଗଣ,

ହଣା ହେଉଥାନ୍ତି

ପଶୁ ପଣ ପଣ ।

ଅର୍ଗଳ ସନ୍ଧିରେ

ରଖି ପଶୁବେକ

ଗଳାଇଦିଅନ୍ତି

ତହିଁ ଖିଲ ଏକ ।

ସେ କାଳେ ସେ ପଶୁ

ମୃତ୍ୟୁଯନ୍ତ୍ରଣାରେ

ଛଟପଟ ହୋଇ

କରୁଣେ ଚିତ୍କାରେ ।

ଧରେ ପୂଜକ ତା

ପଛ ଗୋଡ଼େ ଟାଣି,

କଟୁଆଳ ଦିଏ ବେକେ

ଚୋଟେ ହାଣି ।

କଟୁଆଳ ପୁଣି

ସେବକ ବ୍ରାହ୍ମଣ-

ହୃଦୟରେ ନାହିଁ

ଦୟା କଦାଚନ ।

ମୂର୍ତ୍ତିମତୀ ହତ୍ୟା

ନିଷ୍ଠୁରତାଦ୍ୱୟ

କରନ୍ତି ନୃଶଂସ

କାର୍ଯ୍ୟ ଅଭିନୟ ।

ପଚାରେଁ ତୁମ୍ଭଙ୍କୁ

ସେବକ ବ୍ରାହ୍ମଣ,

ଏହି କି ହେ ଭଲା

ବ୍ରାହ୍ମଣ ଲକ୍ଷଣ ?

ଯେଉଁ ହାତେ ହୁଏ

ଜପ ଯଜ୍ଞକର୍ମ,

ସେହି ହାତେ ହତ୍ୟା

ଏହା କି ହେ ଧର୍ମ ?

ଯେ ହସ୍ତ ଜାହ୍ନବୀ

- ପ୍ରବାହେ ପାବନ,

ପାପ-ପଙ୍କ କଲ

ସେ ହସ୍ତେ ଲେପନ ।

ବୃଥାରେ ତାନ୍ତ୍ରିକ-

ଧର୍ମେ ଦେଇ ଦ୍ୱାହି

କ୍ରିୟା ଛାଡ଼ି କର

ଅକ୍ରିୟା କିପାଇଁ ?

ପବିତ୍ର ବ୍ରାହ୍ମଣ-

କୁଳେ କଳଙ୍କିତ

କରୁଅଛ ସିନା

ହୋଇଣ ଦୁର୍ନୀତ ।

ଚଣ୍ଡୀପାଠ, ହୋମ

ଆଦି ସୁବିଧାନ

ଦେବୀ ତୃଷ୍ଟି ଅର୍ଥେ

ଥାଉଁ ବିଦ୍ୟମାନ,

ଧର୍ମାଧର୍ମ କିଛି

ନ କରି ନିର୍ଣ୍ଣୟ

ଦିଅ କିପାଁ ପଶୁ-

ହତ୍ୟାରେ ପ୍ରଶ୍ରୟ ?

ସାଳନ୍ଦି, ତୋହର

ସୁଧାଜିତ ନୀର

ପୁଷ୍ଟିକର ଯଥା

କାମଧେନୁ କ୍ଷୀର ।

ଭଦ୍ରଖ ନଗରୀ

କରୁ ତୁ ପାଳନ,

ଭ୍ରମୁ ସଙ୍ଗେ ଘେନି

ପୁତ୍ରକନ୍ୟାଗଣ ।

ତୋହ କୂଳେ ଜନ୍ମି

ମହାତ୍ମା ଅନେକ

ଯାଇଛନ୍ତି ସାଧି

ଜନ୍ମଭୂମି ଟେକ ।

କେତେ ଥିଲେ କବି

କେତେ ବିଚାରକ

କେତେ ଯୋଗୀ କେତେ

ଧର୍ମପ୍ରଚାରକ ।

ଜନ୍ମିଥିଲେ କେତେ

ବୈଦ୍ୟ ଜ୍ୟୋତିର୍ବେତ୍ତା

ବହୁ ଗାଣିତିକ

ବହୁ ଦେଶନେତା ।

ତୋହ ଜଳ ପିଇ

ଶ୍ରୀ ବଂଶୀବଲ୍ଲଭ,

ସଞ୍ଚିଲେ ସୁକୀର୍ତ୍ତି

ମାନବ-ଦୁର୍ଲ୍ଲଭ ।

କରିଥିଲେ ତାଙ୍କ

ଜିହ୍ୱାଗ୍ରେ ବସତି

ବିଦ୍ୟାବିନୋଦିଦୀ

ଦେବୀ ସରସ୍ୱତୀ ।

ସାରସ୍ୱତ କୃପା ଲଭି

ସେ ସାନନ୍ଦେ

ରଚିଲେ ସଙ୍ଗୀତ

ସୁମଧୁର ଛନ୍ଦେ ।

ନବରସେ ସେହୁ

ଥିଲେ ସୁପଣ୍ଡିତ,

ଗାଇଲେ ତୋ କୂଳେ

‘ଚଇତ୍ର ସଙ୍ଗୀତ’ ।

ମୋଗଲ ରାଜତ୍ୱେ

ସେ କାଳରେ ଦେଶେ

ଥିଲା ପାର୍ଶିଭାଷା

ଚଳନ ବିଶେଷେ ।

ପାରଶିରେ ତହୁଁ

ବିରଚି ସଙ୍ଗୀତ

ମୋହିଲେ ସ୍ୱଜାତି

ବିଜାତିଙ୍କ ଚିତ୍ତ ।

ଅଧିକାଂଶ ଗୀତ

ଶାନ୍ତିରସାଶ୍ରିତ

ସାକ୍ଷ୍ୟ ତାର ‘ଯୋଗୀ-

ଫକୀର ସଙ୍ଗୀତ’ ।

ଅଦ୍ୟାପି ଭଦ୍ରଖେ ସେ

ସଙ୍ଗୀତଚୟ

ଚୈତ୍ର ମାସ ଶେଷେ

ହୁଏ ଅଭିନୟ ।

ଧନ୍ୟ କବିଙ୍କର

ସମ୍ମୋହନ ଗୀତ

ସମଭାବେ ମୋହେ

ସମସ୍ତଙ୍କ ଚିତ୍ତ ।

ରସିକ ପକ୍ଷରେ

ତାହା ରସମୟ

ଭାବୁକ ନିକଟେ

ଭାବର ଆଳୟ ।

ଧାର୍ମିକ ପକ୍ଷରେ

ଧର୍ମଶାସ୍ତ୍ରବତ

ଯୋଗୀ ବୁଝେ ତହୁଁ

ମହା ଗୂଢ଼ ତତ୍ତ ।

ପୂର୍ଣ୍ଣ ସବୁଭାବ

ତହିଁ ଏକାଧାରେ

ତେଣୁ ସେ ଆଦୃତ

ସମସ୍ତଙ୍କଠାରେ ।

ଏକାଧାରେ ତହିଁ

ଅଛି କନ୍ଦାହସା

ଡାକ ନାମ ତାର

‘ଚଇତ୍ର ତାମସା’ ।

ମେଷ ସଂକ୍ରମଣେ

ବଲ୍ଲଭଭଣିତ

ମୋଗଲ ରାଜତ୍ୱ

ହୁଏ ଅଭିନୀତ ।

ମୋଗଲ ରାଜାଙ୍କ

ଅତି ବିଳାସିତା,

ତଥା ଅତ୍ୟାଚାର ,

ଅଦୂରଦର୍ଶିତା

ତନ୍ନ ତନ୍ନ କରି

ଅଙ୍କିଛନ୍ତି କବି,

ଆବର ଶାସନ

ବିଶୃଙ୍ଖଳ ଛବି ।

ଅଛି ମାତ୍ର କାବ୍ୟ

ନାହାନ୍ତି ସେ କବି

ବିଦ୍ୟମାନ ପ୍ରଭା

ଅସ୍ତ ଆହା ରବି ।

ବହୁକାଳୁଁ କାଳ

ତାଙ୍କ ସୌମ୍ୟ ମୂର୍ତ୍ତି

ଗ୍ରାସିଅଛି, ଏବେ

ଅଛି ଖାଲି ସ୍ମୃତି ।

ରହଇ ଜୀବନୀ

ନ ରହେ ଜୀବନ,

ଏହା ସିନା ବିଧି-

ବିଧି ଚିରନ୍ତନ ।

ତୋହୋ ଜଳେ ତୋର

ବୁଦ୍‌ବୁଦ ସମାନ,

ମିଶାଇଲେ ପଞ୍ଚଭୂତେ

ପଞ୍ଚପ୍ରାଣ ।

ମନ୍ଦରନନ୍ଦିନୀ

ସାଳନ୍ଦି, ତୋ କୂଳେ

ତାହାଙ୍କ ଶ୍ମଶାନ

ବିରାଜେ ମଞ୍ଜୁଳେ ।

କବିବାସଯୋଗ୍ୟ

ନିକାଞ୍ଚନ ସ୍ଥାନ,

ଶୋଭାର ନିକୁଞ୍ଜ

ସୁରମ୍ୟ ଉଦ୍ୟାନ ।

ତୀକ୍ଷ୍ଣ କଣ୍ଟକିତ

ଦୀର୍ଘ ଭୀମ ଗଦା

ବେଢ଼ିଛି ମର୍କତ

ବେଢ଼ା ସମ ସଦା ।

ପତ୍ର-କରପତ୍ର

ଧରି କାହିଁ କିଆ

ଅସ୍ତ୍ରଧାରୀ ପ୍ରାୟ

ହୋଇଅଛି ଠିଆ ।

ପଣସ କମଳା

ନାରିକେଳ ତାଳ

ଏ ଆଦି ପାଦପେ

ସେ ବନ ଘଞ୍ଚାଳ ।

କାହିଁ ପରସ୍ପରେ

ମାତୁଳଙ୍ଗ ଆତ

ହୋଇଛନ୍ତି ଉଭା

କାନ୍ଧେ ଛନ୍ଦି ହାତ ।

ପତ୍ରେ ପତ୍ର ଛନ୍ଦି

କାହିଁ ବୃକ୍ଷଗଣ

ନବ୍ୟରୁଚିସିଦ୍ଧ

କର ମରଦନ-

କରନ୍ତି କି ଆହା

ମନେ ବହି ପ୍ରୀତି,

କାହୁଁ ଏ ଶିଖିଲେ

ନବ୍ୟ ସଭ୍ୟ ରୀତି ?

କାହିଁ ବା ସୁନାରୀ

ସୁ-ନାରୀର ଭଳି

ଧବ ପରେ ପ୍ରେମେ

ପଡ଼ିଅଛି ଢଳି ।

ଫଳଭାରେ ଧାତ୍ରୀ

ପୋତିଅଛି ମଥା,

ନର ଭାଗ୍ୟ-ତରୁ

କର୍ମ-ଫଳେ ଯଥା ।

ମର୍କତମହୁଡ଼

ଧରି କାହିଁ ତାଳ

ଚୁମ୍ୱେ ନଭେ ଟେକି

ମସ୍ତକ ବିଶାଳ ।

ଦେଖି ତାହା ହୁଏ

ଏସନ କଳ୍ପନା,

ବହୁଫଣ ଫଣୀ

ତୋଳିଛି କି ଫଣା ?

ଜଟିଳ ତପସ୍ୱୀ

ପ୍ରାୟେ କାହିଁ ବର

ବିଲମ୍ୱାଇ ଉଭା

ଓହଳନିକର ।

ମାନବ ସଞ୍ଚାର

ସେଠାରେ ବିରଳ,

ସ୍ୱଭାବେ ଯେଣୁ ସେ

ଶବଦାହୀ ସ୍ଥଳ ।

ବହୁ ଲତା ବୃକ୍ଷେ

ସେ ସ୍ଥାନ ପିହିତ,

ରବି ସଙ୍ଗେ ନାହିଁ

ସମ୍ପର୍କ କିଞ୍ଚିତ ।

ଡେଇଁ ଡେଇଁ ବୁଲେ

ଲମ୍ବକର୍ଣ୍ଣ ଶଶା,

କୃଷକକୁଳର

ବୁଡ଼ାଏ ଭରସା ।

ଝିଲ୍ଲୀଏ ରାବନ୍ତି

ବଂଶବନେ ଲୁଚି

ସେ ରବେ ପୃଥୁଳ

କରନ୍ତି ଗୁଣ୍ଡୁଚି ।

ପ୍ରାତଃ ବୈତାଳିକ

ପିକ, କୁମ୍ଭାଟୁଆ,

କୁକ୍କୁଟ, ପାପିଆ

କଟୁରାବୀ କୁଆ,

ଚଷାପୁଅ, ଶ୍ୟାମା,

ଦୟାଳୁ, ଖଞ୍ଜନ,

ଏ ଆଦି ବହଙ୍ଗେ

ପୂର୍ଣ୍ଣ ସେ କାନନ ।

ନଦୀକୂଳବନ୍ଧୁ

ବସି ନଦୀକୂଳେ

ସୁସ୍ୱର ଲହରୀ

ଉଠାଏ ପୃଥୁଳେ ।

ସେ ସ୍ଥାନେ ଯେ ବାୟୁ

ହୁଏ ପ୍ରବାହିତ,

ଭବ-ଉତ୍ତାପେ ସେ

ନୁହେଁ ଉତ୍ତାପିତ ।

ସ୍ୱଭାବେ ସେ ସ୍ଥାନ

କବିଙ୍କ ଆସ୍ଥାନ,

ଅମର ସଙ୍ଗୀତେ

ସଙ୍ଗୀତାୟମାନ ।

ଉପକଣ୍ଠେ ଗାଉ

ତୁ ଲୋ ଗିରିକନ୍ୟା,

କୁଳୁ କୁଳୁ ନାଦେ

ନଦୀକୁଳଧନ୍ୟା ।

ସୁକଣ୍ଠ ବିହଙ୍ଗେ

ସଦା ମୁଖରିତ

ଗାଏ ନିସ୍ତବ୍‌ଧତା

ନୀରବ ସଙ୍ଗୀତ ।

କୋଳାହଲଦ୍ୱେଷୀ

କବି-ବାସସ୍ଥଳ,

ପଶେ ନାହିଁ ତହିଁ

ଭବ-କୋଳାହଳ ।

ଅନିତ୍ୟତା ଗୀତ

ସଦା ସଂକୀର୍ତ୍ତନ

କରିବାକୁ ଏହି

ସ୍ଥାନଟି ଭାଜନ ।

ମହାପୁଣ୍ୟମୟ

ସ୍ଥାନ ଏ ଶ୍ମଶାନ,

ଜ୍ଞାନୀ ନେତ୍ରେ ତତ୍ତ୍ୱ-

ଦୀକ୍ଷାଦାୟୀ ସ୍ଥାନ ।

ଅଜ୍ଞାନ ପକ୍ଷରେ

ମହାଭୟଙ୍କର,

ନ ଛୁଏଁ ତେଣୁ ସେ

ସୀମା ଏ ସ୍ଥାନର ।

ନ ଉଚ୍ଚାରୁ ପଛେ

କେହି ଏହା ନାମ

ମାତ୍ର ଏ ସଭିଙ୍କ

ଚରମ ଆରାମ ।

ପ୍ରଣୀ ପ୍ରାଣ-ସ୍ରୋତ

ଯଥାସମୟରେ

ବହି ଆସି ପଡ଼େ

ଏ ମହାସାଗରେ ।

ଭୁଲିଗଲେ ସୁଦ୍ଧା

ଏ ସ୍ଥାନକୁ କେହି

ନ ଭୁଲି ତାକୁ

ଏ ଚିହ୍ନେ ଚିହ୍ନ ଦେଇ ।

ଦର୍ପି-ଦର୍ପ-ହର

ସ୍ଥଳ ଏ ଭୂତଳେ,

ମହିମା ଏହାର

ବଚନକୁ ବଳେ ।

କହ ରେ ଶ୍ମଶାନ

ନ କରିଣ ମଠ,

କାହା ଶାପେ ତୁହି

ଲୋକେ ଅପ୍ରକଟ ।

ମଧୁର ନିସର୍ଗ

ସୌନ୍ଦର୍ଯ୍ୟ ତୋହର

ନୁହେଁ କିପାଁ ନର-

ନୟନଗୋଚର ।

ମହାସୁପବିତ୍ର

ସ୍ଥାନ ତୁ ଭୂତଳେ,

ଅପବିତ୍ର କିପାଁ

ବୋଲନ୍ତି ସକଳେ ।

ଶାନ୍ତିମୟ ଧାମ

ତୋ ପରି କେ ଭବେ ?

କିପାଁ ଭୟଙ୍କର

ବୋଲନ୍ତି ମାନବେ ?

କବି ସତ୍ ପୁରୁଷ

ଧରି ସୁଦ୍ଧା ଅଙ୍କେ

ଲିପ୍ତ କିପାଁ ଏହି

ଅପବାଦ-ପଙ୍କେ ।

ଅହୋ ! କେଡେ ଭ୍ରାନ୍ତ

ଅକୃତଜ୍ଞ ନର,

ଅଜ୍ଞାନେ ନ ବୁଝେ

ମହିମା ତୋହର ।

ଆଚରେ ସେ ତୋହ

ପ୍ରତି ଘୃଣା ଭୟ,

ମାତ୍ର ଧନ୍ୟ ତୋର

ଉଦାର ହୃଦୟ ।

କ୍ଷମା କରି ତାହା

କୃତଦୋଷମାନ,

ପରିଣାମେ ତାକୁ

ଅଙ୍କେ ଦେଉ ସ୍ଥାନ ।

ମାୟା-କଳୁଷିତ

ନୁହେଁ ତୋ ହୃଦୟ,

ଜୀବନାନ୍ତେ ତୁହି

କେବଳ ଆଶ୍ରୟ ।

ସାମ୍ୟ ନୀତି ତୋର

ପରମ ଆଦର୍ଶ,

ସମାନ ତୋଠାରେ

ହରଷ ବିରସ ।

ଧାର୍ମିକ ପାମର

ତୋ ନେତ୍ରେ ସମାନ,

ସାନ ବଡ଼କ ସର୍ବେ

କରୁ ସମଜ୍ଞାନ ।

ଅନେକ ସଦ୍ଗୁଣ

ଅଛି ଯେ ତୋହର,

ନ ଶିଖନ୍ତି ତାହା

ଅଜ୍ଞାନାନ୍ଧ ନର ।

କୁସଂସ୍କାରେ କରି

ଅମଙ୍ଗଳ ଶଙ୍କା

ନ ଚାହାଁନ୍ତି ତୋତେ

ମୁହଁ କରି ବଙ୍କା ।

ରେ ଶ୍ମଶାନ, କେତେ

ଅଜାଣିତ ଫୁଲ

କାହୁଁ ଆଣି ଅଙ୍କେ

କରିଅଛୁ ଠୁଳ ।

ଅତୁଳ ସୌନ୍ଦର୍ଯ୍ୟ

ରଖିଛୁ ସମ୍ପାଦି,

ବଲ୍ଲଭଙ୍କର ତୁ

ସାରସ୍ୱତ ଗାଦି ।

କବିନେତ୍ର ସିନା

ସୌନ୍ଦର୍ଯ୍ୟ-ପିପାସୁ

ଧରି ରଖିଲୁ ତୁ

ତାଙ୍କୁ ସେ ସକାଶୁ ।

ପଚାରୁଛି ତୋତେ

ମସ୍ତକ ନୁଆଇଁ,

ସେ କବିଙ୍କୁ କାହିଁ

ରଖିଛୁ ଲୁଚାଇ ।

ଖୋଜିଲିଣି କେତେ

ତୋ ଅଙ୍କରେ ପଶି,

ମାତ୍ର ନ ଭେଟିଲି କାହିଁ

ସେ ଯଶସ୍ୱୀ ।

ବୃକ୍ଷଲତାବ୍ରାତେ

ପଚାରିଲି ଯାଇ,

ଶ୍ରୀ ବଂଶୀବଲ୍ଲଭ

ଗଲେ ଆହା କାହିଁ ।

ନ ପାଇଲି କିନ୍ତୁ

ଉତ୍ତର କାହାରି

ତହୁଁ ପ୍ରତିଧ୍ୱନି

ଆକାଶ କୁମାରୀ-

ଊତ୍ତରିଲା ଏହା

ମହାଶୂନ୍ୟେ ଥାଇ,

“ଶ୍ରୀ ବଂଶୀବଲ୍ଲଭ

ଗଲେ ଆହା କାହିଁ !”

ମୋ ଭବିଷ୍ୟ ବାଣୀ

ଶୁଣ ରେ ଶ୍ମଶାନ,

ସତ୍ୟ ସତ୍ୟ ଏହା

ନ ମଣ ତୁ ଆନ ।

ଆସୁଛି ସୁ-ଦିନ

ତୋର ଏ ଦୁର୍ଦ୍ଦଶା

ବିଭୁ କୃପାବଳେ

ଘୁଞ୍ଚିବ ସହସା ।

ଉନ୍ନତିର ସ୍ରୋତ

ମାଡ଼ୁଛି ଉତ୍କଳେ,

ଖେଳିବ ତହିଁରେ

କଲ୍ଲୋଳ ଚଞ୍ଚଳେ ।

ବୁଝିବ ଉତ୍କଳ

କବିର ମହତ୍ତ୍ୱ,

ସେ ଦିନ ହେବୁ ତୁ

ତୀର୍ଥ ସାରସ୍ୱତ ।

ଦେଖିବାକୁ ତୋତେ

ଆସିବେ ସକଳେ,

ପୂରିବ ତୋ ଅଙ୍କ

ଜୟ କୋଳାହଳେ ।

କବିଙ୍କ ସକାଶୁଁ

ହେବୁ ତୁ ପୂଜିତ,

ସଙ୍ଗ ଗୁଣେ ହେବ

ସୌଭାଗ୍ୟ ଉଦିତ ।

ସାଳନ୍ଦି, ତୋହର

ପାଳିତ ଭଦ୍ରଖେ,

ପୂର୍ବ ପରି ଶୋଭା

ଆଉ ନ ଝଟକେ ।

ନାହିଁ ସେ ଗୌରବ

ନାହିଁ ସେ ସୁଖ୍ୟାତି,

ଆଚ୍ଛାଦିଛି ଏବେ

ତାକୁ ଦୁଃଖ-ରାତି ।

ଘେରିଛି ଦାରିଦ୍ର୍ୟ

ଶତପୁର କରି,

ବସିଛି ଅଭାଗୀ

ଔଦାସ୍ୟ ଆଚରି ।

ଆଳସ୍ୟ-ଅମଳେ

ତାର ପୁତ୍ରଗଣ

ଘାରିହୋଇ ସର୍ବେ

ଛନ୍ତି ଅଚେତନ ।

ମାତୃଭୂମି ଏକ

ଅଛି ତାହାଙ୍କର,

ଏ କଥା ଯେପରି

ନାହିଁ କା ଗୋଚର ।

ମାସେ ଦଶ ଦିନ

ରହି ଉପବାସ

ତେବେ ନ ତେଜନ୍ତି

ଆଳସ୍ୟ ବିଳାସ ।

କାହିଁକି କେଜାଣି

ଘୋଟିଲା ଏ ପାପ,

କେଉଁ ଦେବ ଦେଲେ

ନିଦାରୁଣ ଶାପ ।

ବଜା ଲୋ ସାଳନ୍ଦି,

ଶୁଭ ଶଙ୍ଖଧ୍ୱନି,

ଶୁଣି ଜାଗୁ ତାହା

ଭଦ୍ରଖ ଅବନୀ ।

ସୁପ୍ତ ସୁତେ ତାର

ହୋଇ ଜାଗରିତ

ହୁଅନ୍ତୁ ଉନ୍ନତି

- ପଥେ ପ୍ରଧାବିତ ।

କୃଷି ଶିଳ୍ପ ଶିକ୍ଷା

ଧର୍ମ ବ୍ୟବସାୟେ,

ସାଧନ୍ତୁ ଉନ୍ନତି

ସୁ-ଅଧ୍ୟବସାୟେ,

ବର୍ଣ୍ଣନେ ତୋହର

ଗୁଣ ଗଉରବ

ଅକ୍ଷମ ସାଳନ୍ଦି,

ମୁଁ ଛାର ମାନବ ।

ଜନ୍ମଦୁଃଖୀ ମୁହିଁ

ନିତାନ୍ତ ଅଜ୍ଞାନ,

କେମନ୍ତେ କରିବି

ତୋ ମହିମା ଗାନ ।

ଦୁଃଖ ଏକା ମୋର

ବାଲ୍ୟସହଚର,

ଯୌବନରେ ହେଲା

ସଖା ପ୍ରିୟତର ।

ରୋଗେ ଶୋକେ

ଦେହ ପଡ଼ୁଅଛି ଥକି,

ଦୁଃଖ-ବଜାରେ ମୁଁ

ପ୍ରଧାନ ଗହକି ।

ହୁଃଖ-ସିଂହାସନେ

ଚକ୍ରବର୍ତ୍ତୀପଣେ,

ନ ଥିବ ସୃଷ୍ଟିରେ

ମୋର ପରି ଜଣେ ।

ତୁହି ଏକା ମୋର

ଜୀବନ କାରଣ,

ତୋହ ଜଳ ପିଇ

ଲଭିଲି ବର୍ଦ୍ଧନ ।

ସନ୍ତାପ ନିବୃତ୍ତି

କରେଁ ତୋର ନୀରେ,

ରକ୍ତରୂପେ ତାହା

ବହେ ଧମନୀରେ ।

ତେଣୁ ତୋହ ପ୍ରତି

ଚିର କୃତଜ୍ଞତା-

ପ୍ରଦର୍ଶନ ଅଟେ

ଉଚିତ ସର୍ବଥା ।

ଏସନ ବିଚାରି

ଭକ୍ତିପୂର୍ଣ୍ଣ ଚିତ୍ତେ

ଗାଇଲି ତୋ ଗୁଣ

ଏ ନୀରସ ଗୀତେ ।

ପେଲିଦେଲେ ତୋର

ସଦ୍‌ଗୁଣ ସକଳେ

କବିତାକାନନେ

ଧରି ମୋତେ ବଳେ ।

ସେ ଅଗମ୍ୟ ବନେ

ନ ପାରିଣ ପଶି,

ପାଖଁ ପାଖୁଁ ଫୁଲ

ତୋଳିଲି ମୁଁ ବସି ।

ଶକ୍ତି ଅନୁଯାୟୀ

ଗୁନ୍ଥି ତହିଁ ହାର

ଅର୍ପିଲି ସାଳନ୍ଦି,

ତୋତେ ଉପହାର ।

ଘେନ ମାତଃ, ତାହା

ହୋଇ ହୃଷ୍ଟଚିତ୍ତ,

ଜୁହାର ଜୁହାର

ଶେଷ ମୋ ସଙ୍ଗୀତ ।